ଦେବଗଡ଼ ଥାନାରେ ଆଦର୍ଶ ବିବାହ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନାରେ ଏକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି । ପ୍ରେମୀ ଯୁଗଳଙ୍କୁ ଉଭୟ ପରିବାର ଖୁସିରେ ଗ୍ରହଣ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମର ନିରାକାର କିସାନଙ୍କ ୨୩ ବର୍ଷୀୟ ପୁଅ ଅକ୍ଷୟ କିସାନ ସେହି ଗ୍ରାମର ହୀରାଧର ଉଦାବରଙ୍କ ଝିଅ କ୍ଷୀରୋଦିନି ଉଦାବରଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ପ୍ରେମ ସମ୍ପର୍କ ରହି ଆସିଥିଲା । ପ୍ରେମିକା କ୍ଷୀରୋଦିନି ପ୍ରେମିକ ଅକ୍ଷୟଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବାରୁ ପ୍ରେମିକଙ୍କ ପରିବାର ଏଥିରେ ରାଜି ହୋଇନଥିଲେ । ସେଥିପାଇଁ କ୍ଷୀରୋଦିନି ଗତ ୭ ତାରିଖରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ ପାଇଁ ଉଭୟ ପରିବାରକୁ ଥାନାକୁ ଡକାଇଥିଲା । ପରେ ଉଭୟ ପରିବାର ପ୍ରେମୀ ଯୁଗଳଙ୍କୁ ବିବାହ ପାଇଁ ନିଜ ପଟୁ ଆଗ୍ରହ ପ୍ରକାଶ କରିଥିଲେ । ବିବାହ ପାଇଁ ରେଜେଷ୍ଟ୍ରି କାର୍ଯ୍ୟାଳୟରେ ଆବେଦନ କରିବା ସହ ସ୍ଥାନୀୟ ଗୋକାରଣେଶ୍ୱର ମନ୍ଦିରରେ ସିନ୍ଦୁର ପିନ୍ଧାଇଥିଲେ। ଏହାସହ ଥାନା ପରିସରରେ ଉଭୟ ପରିବାରଙ୍କ ଉପସ୍ଥିତିରେ ପ୍ରେମୀ ଯୁଗଳ ପରସ୍ପରକୁ ଫୁଲମାଳ ପିନ୍ଧାଇ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ । ଉଭୟ ପରିବାର ଲୋକେ ମଧ୍ୟ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବା ସହ ଖୁସିରେ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଛି ।