ଭବାନୀପାଟଣା,ଏନ୍ଏନ୍ଏସ୍: ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପକୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ହକି ବିଶ୍ୱକପ୍ ଟ୍ରଫି ରଥ ପରିକ୍ରମା କରୁଛି । ଏହିକ୍ରମେ ଆସନ୍ତା ଜାନୁଆରୀ ୧ ତାରିଖରେ ହକି ବିଶ୍ୱକପ୍ ଟ୍ରଫି କଳାହାଣ୍ଡିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୧ଟାରେ ନବରଙ୍ଗପୁର ସୀମା ନିକଟବର୍ତ୍ତୀ ଆମପାଣିରେ ଟ୍ରଫିକୁ ସ୍ୱାଗତ କରାଯିବ । ସେଠାରେ ପ୍ରଶାସନ, ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ସ୍ୱାଗତ କରାଯାଇ କୋକସରା, ଜୁନାଗଡ଼, କୁଟୁରୁଖୁମାରରେ ଜନସାଧାରଣ, ପ୍ରଶାସନ ଓ ଜନପ୍ରତିନିଧିଙ୍କ ଗହଣରେ ଭବ୍ୟ ସ୍ୱାଗତ କରାଯାଇ ଭବାନୀପାଟଣା ସହରରେ ପ୍ରବେଶ କରିବ । ସହରର ନକ୍ଟିଗୁଡ଼ା, ବସଷ୍ଟାଣ୍ଡ, ଘୋଡ଼ାଘାଟ ଛକ, ଦୟାନିଧି ଛକ ଓ ମାଣିକେଶ୍ୱରୀ ଛକ ଦେଇ ଟାଉନ ହଲରେ ପହଞ୍ଚିବ । ଟାଉନ ହଲରୁ ବିରାଟ ଶୋଭାଯାତ୍ରାରେ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅପରାହ୍ନ ୩ଟା ୪୦ ମିନିଟ ସମୟରେ ପହଞ୍ଚିବ । ଭବାନିପାଟଣାରେ ମଧ୍ୟ ଟ୍ରଫି ରଥକୁ ଜିଲ୍ଲା ପ୍ରଶାସନ, ବିଧାୟକଗଣ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ପ୍ରତିନିଧି ଓ ସ୍ୱୟଂ ସହାୟକ ଗୋଷ୍ଠୀ ସହରରେ ଭବ୍ୟ ସ୍ୱାଗତ ପୂର୍ବକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ସକାଳ ୭ଟାରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଛକଠାରୁ ମେଦିନୀପୁରସ୍ଥିତ ବିନାୟକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ମିନି ମାରାଥନ୍ ଅନୁଷ୍ଠିତ ହେବ ଏବଂ ସେଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଞ୍ଚରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି ।