କରୋନା ପାଇଁ ନବରଙ୍ଗପୁରରେ ମକଡ୍ରିଲ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ସମ୍ଭାବ୍ୟ ମହାମାରୀ କରୋନାର ପ୍ରତିକାର ଓ ମୁକାବିଲା ପାଇଁ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ନିଜେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିରୀକ୍ଷଣ କରିବା ସହିତ ମହାମାରୀର ସଫଳ ମୁକାବିଲା ପାଇଁ ସଦାସର୍ବଦା ସଜାଗ ରହିବା ଲାଗି ପରାମର୍ଶ ଦେଇଥିଲେ । ସମ୍ଭାବ୍ୟ ମହାମାରୀର ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଆଇସିୟୁ ବେଡ, ୨୦ଟି ଆଇସୋଲେସନ ବେଡ, ଆବଶ୍ୟକୀୟ ଔଷଧ, ଅକ୍ସିଜେନ ଭେଣ୍ଟିଲେଟର, ମଲ୍ଟି ପାରା ମିଟର ଡିଶି ସକ,ଏକ୍ସରେ ମେସିନ, ଇସିଜି ସିରିଞ୍ଜ ଓ ପମ୍ପ ଇତ୍ୟାଦି ମହଜୁଦ ଅଛି ବୋଲି ଭାରପ୍ରାପ୍ତ ଅଧିକାରୀ ଡା. ଲକ୍ଷ୍ମୀ ନାରାୟଣ ବିଷୋୟୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ମୌସୁମୀ ନାୟକ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ମଳୟ କୁମାର ତ୍ରିପାଠୀ, ମହାମାରୀ ବିଶେଷଜ୍ଞ ଡା. ଶିଳ୍ପୀ ଦାସ, ଡା. ମାଇକ୍ରୋ ବାୟଲୋଜିଷ୍ଟ ଅର୍ଦ୍ଧେନ୍ଦୁ ପ୍ରହରାଜ, ଡିପିମ ସୁଶାନ୍ତ ପ୍ରହରାଜ, ବରିଷ୍ଠ ଫାର୍ମାସିଷ୍ଟ ଜଗନ୍ନାଥ ରଥ, ଜିଲ୍ଲା ଜରୁରୀକାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜରୁରୀକାଳୀନ ବିଭାଗର ତ୍ରିପତି ବାଲାଜୀ ସାହୁ, ନୀଳକଣ୍ଠ ରାଜୁ, ସାହିଦ ଅକ୍ତର, ଅଭିନାସ ପାତ୍ର ଓ ସନ୍ଦୀପ ନାୟକଙ୍କ ସମେତ ମୁଖ୍ୟ ଚିକିତ୍ସାଳୟର ପାରା ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।