ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱଚ୍ଛ ପ୍ରଶାସନର ସଫଳ ରୂପାୟନ ପାଇଁ ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଭିଜନ ୨୦୩୦ର କାର୍ଯ୍ୟ ଖସଡ଼ାର ସଠିକ କାର୍ଯ୍ୟକାରୀ ପାଇଁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ପକ୍ଷରୁ ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଉପନିର୍ଦ୍ଦେଶକ ରାମ ସେବକ ପ୍ରଧାନ, ସହକାରୀ ନିର୍ଦ୍ଦେଶିକା ଅର୍ଚିତା ଦାଶ ଓ ସ୍ୱାସ୍ଥ୍ୟ ବିଭାଗ ଉପନିର୍ଦେଶକ ଡା. ଅର୍ଘ୍ୟ ପ୍ରଧାନ ମଞ୍ଚାସିନ ରହିଥିଲେ । ଉପସ୍ଥିତ ଅତିଥିବୃନ୍ଦ ସମସ୍ତ ବିଭାଗ ଅଧିକାରୀ, ପଞ୍ଚାୟତିରାଜର ସମସ୍ତ ଜନ ପ୍ରତିନିଧି ଓ ସ୍ୱେଛାସେବୀଙ୍କୁ ରାଜ୍ୟ ସରକାରଙ୍କ ଭିଜନ ୨୦୩୦ର ସଫଳ ରୂପାୟନ ପାଇଁ ସାମାଜିକ ସାମାନତା ଦୂର, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ, ଗ୍ରାମାଞ୍ଚଳରେ ଅର୍ଥନୈତିକ ଭିତ୍ତିଭୂମିର ବିକାଶ ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ପଦ୍ଧତିରେ କୃଷିର ବିକାଶ ଭଳି ୧୭ଟି ଲକ୍ଷ୍ୟ ପୂରଣ ପାଇଁ ପଞ୍ଚାୟତସ୍ତରରୁ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।