ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ କୁରାନ ଇଣ୍ଡିଆନ ପ୍ରିମିୟର ଲିଗ୍ ନିଲାମିରେ ିସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ସାମଙ୍କୁ ପଞ୍ଜାବ କିଙ୍ଗସ ଇଲେଭନ ସର୍ବାଧିକ ୧୮.୫୦ କୋଟି ଟଙ୍କାରେ କିଣିଛି । ଫଳରେ ସାମ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହେବାରେ ସଫଳ ହୋଇଛନ୍ତି । ସାମଙ୍କୁ କିଣିବା ପାଇଁ ତାଙ୍କର ୨ଟି ପୁରୁଣା ଟିମ୍ ପଞ୍ଜାବ କିଙ୍ଗସ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଦୀର୍ଘ ସମୟ ଧରି ଲଢ଼େଇ ଚାଲିଥିଲା । କିନ୍ତୁ ଶେଷରେ ପଞ୍ଜାବ ବାଜି ମାରି ନେଇଥିଲା ।
ସୂଚନାଯୋଗ୍ୟ, ସାମ ଆହତ ଥିବା ଯୋଗୁ ପୂର୍ବ ସିଜିନ ଖେଳି ପାରିନଥିଲେ । କିନ୍ତୁ ଚଳିତ ସିଜିନରେ ତାଙ୍କର ଶାନଦାର ଏଣ୍ଟ୍ରି ହେବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଲାମିର ଇଂଲଣ୍ଡ ଖେଳାଳିଙ୍କୁ ସବୁଠୁ ଅଧିକ ଲାଭ ମିଳିଛି । ସାମ ସିଜିନର ସବୁଠୁ ଦାମୀ ଖେଳାଳି ହୋଇଥିବାବେଳେ ହେରୀ ବ୍ରୁକ ତାଙ୍କ ପ୍ରଥମ ସିଜିନରେ ଧମାଲ କରିଦେଇଛନ୍ତି । ବ୍ରୁକଙ୍କୁ କିଣିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦୀର୍ଘ ସମୟ ଧରି ଲଢ଼େଇ ହୋଇଥିଲା । ଶେଷରେ ହାଇଦ୍ରାବାଦ ବ୍ରୁକଙ୍କୁ ୧୩,୨୫ କୋଟି ଟଙ୍କାରେ କିଣିବାରେ ସଫଳ ହୋଇଥିଲା ।