ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ସେବା ସମବାୟ ସମିତିରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡ଼ି ରହିବାକୁ ନେଇ ଚାଷୀମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଆଜି ଅଞ୍ଚଳର ଶତାଧିକ ଚାଷୀ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଏହାର ସୁବନ୍ଦୋବସ୍ତ କରିବାକୁ ନିବେଦନ କରିବା ସହ ଏକ ସ୍ମାରକ ପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ କୁମାର ସାହୁଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ଚାଷୀମାନେ ଟୋକନ ଅନୁସାରେ ମଣ୍ଡିକୁ ଧାନ ଆଣୁଥିବାବେଳେ ମିଲରମାନେ ଧାନ ଉଠାଉ ନଥିବାରୁ ଧାନ ବସ୍ତା ଖୋଲା ଆକାଶ ତଳେ ପଡ଼ି ରହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ମିଲରମାନେ ଇଛା ଅନୁଯାୟୀ ଧାନ ଉଠାଉଥିବାରୁ ଚାଷୀ ପାଇଥିବା ଟୋକନର ସମୟ ସୀମା ହରାଇବା ଆଶଙ୍କା ପ୍ରକାଶ ପାଉଛି । ସେହିପରି ରକ୍ତ ମଣ୍ଡିରେ ବି ଭୂମିର ଅଭାବ ଯୋଗୁ ଧାନ ରଖିବାକୁ ବ୍ୟବସ୍ଥା ନଥିବାରୁ ଟୋକନ ପାଇଥିବା ଚାଷୀ ଧାନ ଆଣି ପାରୁନଥିବା ଅଭିଯୋଗ ହୋଇଛି । ସର୍ବୋପରି ଚାଷୀଙ୍କ ଟୋକନ ସମୟ ସୀମା ଅତିକ୍ରାନ୍ତ ହୋଇଗଲେ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଚାଷୀଙ୍କ ଏହି ପ୍ରତିନିଧି ମଣ୍ଡଳୀରେ ରାଜେଶ କୁମାର ଚାନ୍ଦ, ସୟଦ ଅବଦୁଲ ସିରାଜ, ବୁଟୁ ନାୟକ, କୃପାସିନ୍ଧୁ ଢୋଲ, ରବୀନ୍ଦ୍ର ସାହୁ, ମାଧବ କୁମାର ସାଏ, ନବୀନ କିଶୋର ଯୋଶୀ, ଆନନ୍ଦ ତ୍ରିପାଠୀ ଓ ଶଙ୍କର ପ୍ରସାଦ ପଣ୍ଡା ପ୍ରମୁଖ ସାମିଲ ଥିଲେ ।