ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ମହିମା ସମାଜ ସମ୍ମିଳନୀ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ର ସରକାର ସନ୍ଥ କବି ଭୀମଭୋଇ ଗବେଷଣା କେନ୍ଦ୍ର ଆରମ୍ଭ କରିଛନ୍ତି ବୋଲି କହିଥିଲେ । ଏଥିପାଇଁ ମହିମା ଗୋସାଇଁଙ୍କ ଉପରେ ସମସ୍ତ ଗ୍ରନ୍ଥ ସଂଗ୍ରହ କରାଯାଉଛି । ଆଗାମୀ ମହିମା ସମାଜ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଆଣିବା ବ୍ୟବସ୍ଥା କରିବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ମହିମା ସମାଜ ପକ୍ଷରୁ ବ୍ରହ୍ମ ଅବଧୂତ ବସୁଦେବ ବାବା କେତେକ ଦାବି ଉପସ୍ଥାପନ କରିଥିଲେ । ସନ୍ଥ କବି ଭୀମଭୋଇ ଗୁରୁକୁଳ ନିର୍ମାଣ, ସନ୍ଥକବି ଭୀମ ଭୋଇ ଧ୍ୟାନ ମନ୍ଦିର ନିର୍ମାଣ, ସନ୍ଥ କବି ଭୀମଭୋଇ ଗୋଶାଳା ନିର୍ମାଣ ଓ ଓଡ଼ିଶାରେ ମହିମା ଟ୍ରେନ ଚଲେଇବାକୁ ପ୍ରସ୍ତାବ ରଖିଥିଲେ । ହିନ୍ଦୁ ମହାସଂଘ ସଂଯୋଜକ ଜୟନ୍ତ ପାତ୍ରଙ୍କ ସଂଯୋଜନାରେ ବ୍ରହ୍ମ ଅବଧୂତ ପ୍ରଭାସଦାସ ବାବା, ଅବଧୂତ ସୌଭାଗ୍ୟ ଦାସ ବାବା ସ ବ୍ରହ୍ମ ଅବଧୂତ ରମେଶ ବାବା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫ଶହରୁ ଊର୍ଦ୍ଧ୍ୱ ବକଳ ଓ କଉପୁନିଧାରୀ ବାବାଙ୍କୁ ଶ୍ରୀ ପ୍ରଧାନ ଆଣ୍ଠୁମାଡ଼ି ମୁଣ୍ଡିଆ ମାରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବାବାମାନେ ଅଂଶଗ୍ରହଣ କରିଥିଲେ ।