ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟଣାଗଡ଼ ଓ ଟିଟିଲାଗଡ଼ରେ ପ୍ରତିଷ୍ଠା ହେବାକୁ ଥିବା ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ସଂକ୍ରନ୍ତୀୟ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ସଂସଦରେ ଦାବୀ କରିଛନ୍ତି । ପ୍ରସ୍ତାବିତ ଉକ୍ତ ୨ ବିଦ୍ୟାଳୟର ଆନୁସଙ୍ଗିକ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ରହିଥିବା ଦର୍ଶାଇ ସାଂସଦ ଏସଂକ୍ରାନ୍ତରେ ଗୃହର ଦୃଷ୍ଟି ଆକର୍ଷଣ କରିଛନ୍ତି । ପାଟଣାଗଡ଼ରେ ପ୍ରତିଷ୍ଠା ହେବାକୁ ଥିବା ବିଦ୍ୟାଳୟ ସିଭିଲ ସେକ୍ଟର ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏହାର ସ୍ଥାନ ନିରୂପଣ କାର୍ଯ୍ୟ ମଧ୍ୟ ସରି ଯାଇଥିବା ସେ କହିଛନ୍ତି । ସ୍ଥାନ ନିରୂପଣ ପାଇଁ ଏକ ପ୍ରତିନିଧୀ ମଣ୍ଡଳୀ ଏହି ଅଞ୍ଚଳ ଗସ୍ତ କରିବା ସହ ସେମାନଙ୍କ ଚୂଡ଼ାନ୍ତ ରିପୋର୍ଟ ମଧ୍ୟ ଗତ ଫେବୃୟାରୀ ୯ ତାରିଖରେ ସରକାରଙ୍କୁ ପ୍ରଦାନ କରି ସାରିଛନ୍ତି । କେବଳ ସେତିକି ନୁହେଁ ଭକ୍ତ କମିଟିର ପରାମର୍ଶ ଏବଂ ସୁପାରିଶ ଅନୁଯାୟୀ ବିଦ୍ୟାଳୟ ଚାଲିବା ନିମନ୍ତେ ଆବଶ୍ୟକ ଅସ୍ଥାୟୀ କୋଠା ମରାମତି ଏବଂ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି । ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୧୦ ଏକର ଜାଗା ଚିହ୍ନଟ ହୋଇଥିବାବେଳେ ରକ୍ତ ଜାଗାରୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କାର୍ଯ୍ୟ ମଧ୍ୟ ସରିଯାଇଥିବା ଶ୍ରୀମତୀ ସିଂଦେଓ ଗୃହରେ ପ୍ରକାଶ କରିଛନ୍ତି । ଟିଟିଲାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦୀର୍ଘ ଦିନରୁ ଚେଷ୍ଟା ହୋଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଫଳପ୍ରଦ ହୋଇପାରି ନାହିଁ । ଏଣୁ ଉକ୍ତ ୨ ବିଦ୍ୟାଳୟ ପ୍ରତିଷ୍ଠା ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଂସଦ ଦାବୀ କରିଛନ୍ତି ।