ଓକିଲ ଆନ୍ଦୋଳନ ପ୍ରସଙ୍ଗ: ୧୨ଜଣଙ୍କୁ ଗିରଫ କଲା ପୁଲିସ

ସମ୍ବଲୁପର,ଏନ୍ଏନ୍ଏସ୍: ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ ୧୨ ଜଣ ଗିରଫ ହୋଇଛନ୍ତି । କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର ହେବାକୁ ସେମାନଙ୍କୁ ଜେଲ୍‌କୁ ପଠାଯାଇଛି । କୋର୍ଟ ପରିସରରେ ୧୪୪ ଧାରା ଲଗା ଯାଇଥିବା ବେଳେ ଏହି ଅଞ୍ଚଳରେ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛନ୍ତି l ଏହା ସହିତ ଯେଉଁମାନେ ୨୦୦ ମିଟର ନିଷିଦ୍ଧାଞ୍ଚଳକୁ ଆସିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗତକାଲି ୨୯ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ ହୋଇଥିଲା । ହାଇକୋର୍ଟ ବେଞ୍ଚ୍‌ ଦାବି ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ପୋଲିସର ବ୍ୟାରିକେଟ ଭାଙ୍ଗି ବିଚାରପତିଙ୍କ ଚାମ୍ବର ଭିତରକୁ ବଳ ପୂର୍ବକ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ବିଚାରପତି ଫେରିଯାଇଥିଲେ । ଏହି ଘଟଣାରେ ପୋଲିସ ସିସିଟିଭି ଯାଞ୍ଚ କରି ୧୨ ଜଣଙ୍କୁ ଗିରଫ କରିଛି । ଆଗକୁ ସିସିଟିଭି ଫୁଟେଜ ଦେଖି ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସପି । ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି ।

ପ୍ରକାଶ ଥାଉ କି ଗତକାଲି (ସୋମବାର) ଏହି ଆନ୍ଦୋଳନରେ ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହୋଇଥିଲା ବାର କାଉନସିଲ ଅଫ ଇଣ୍ଡିଆ । ସମ୍ବଲପୁର ବାର ଆସୋସିଏସନ୍‌ର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କରିଥିଲେ ବିସିଆଇ ।