କାର୍ଯ୍ୟରେ ଯୋଗଦେଲେ ଅସ୍ତରଙ୍ଗ ବିଡିଓ ବେବିତା ମଞ୍ଜରୀ

ଅସ୍ତରଙ୍ଗ,ଏନ୍‌ଏନ୍‌ଏସ୍‌: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟରେ ଆଜି ବିଡିଓ ଡା. ବେବିତା ମଞ୍ଜରୀ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ବିଡିଓ ଡା. ନାୟକ ଗତ ଅଗଷ୍ଟ ୧ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଛୁଟିରେ ଥିବାବେଳେ କାକଟପୁର ବିଡିଓ ତୁଷାର ଜ୍ୟୋତିରଂଜନ ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । କିନ୍ତୁ କାକଟପୁର ବିଡିଓଙ୍କୁ ୨ଟି ବ୍ଲକ ଦାୟିତ୍ୱ ଦିଆଯାଇଥିବା ଯୋଗୁ ଅସ୍ତରଙ୍ଗ ବ୍ଲକ ଅଧୀନରେ ଥିବା ୧୫ ପଞ୍ଚାୟତରେ ଦୀର୍ଘ ୫ ମାସରୁ ଊର୍‌ଦ୍ଧ୍ୱ ହେବ ବିକାଶମୂଳକ କାର୍ଯ୍ୟ ସବୁ ଏକପ୍ରକାରର ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଆଜି ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟରେ ଶ୍ରୀମତୀ ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭେନ୍ଦୁ ନାୟକ, ମୁଖ୍ୟ କିରାଣୀ ଭୂବନେଶ୍ୱର ରଥ ଓ କନିଷ୍ଠ ଯନ୍ତ୍ରୀଙ୍କ ସହିତ ପଞ୍ଚାୟତସ୍ତରରେ ହେଉଥିବା ମନରେଗା କାର୍ଯ୍ୟ, ୫ଟି ବିଦ୍ୟାଳୟ, ପକ୍କାରାସ୍ତା, ଗାଁ ଶ୍ମଶାନ ଓ ଗ୍ରାମୀଣ ପାର୍କ ଆଦି ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏଥିସହିତ ଗ୍ରାମପଞ୍ଚାୟତସ୍ତରରେ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।