ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ମ୍ୟାଚ, ଭାରତ-ବାଂଲାଦେଶ ମୁକାବିଲା

କଟକ,ଏନ୍ଏନ୍ଏସ୍: ଆଜି ଐତିହାସିକ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ତୃତୀୟ ଦୃଷ୍ଟିହୀନ ଟି-୨୦ ବିଶ୍ବକପର ଲିଗ ମ୍ୟାଚ୍‌ । ଏଥିରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଚାରି ଥରର ବିଶ୍ଵ ଚମ୍ପିୟନ ଭାରତୀୟ ଟିମ୍ ଚଳିତ ଥର ମଧ୍ୟ ଚାମ୍ପିୟନ ହେବା ନେଇ ଆଶା ରଖିଛି । ପ୍ରଥମ ଥର ପାଇଁ ବାରବାଟୀରେ ଖେଳାଯିବ ଏହି ଦୃଷ୍ଟିହୀନ ବିଶ୍ଵକପ ମ୍ୟାଚ। ଘରୋଇ ଗ୍ରାଉଣ୍ଡରେ ଲଗାତାର ତୃତୀୟ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ଭାରତୀୟ ଦୃଷ୍ଟିହୀନ ଦଳରେ ସାମିଲ ଅଛନ୍ତି ଏକମାତ୍ର ଓଡ଼ିଆ ଖେଳାଳି ନକୁଳ ଗଡନାୟକ। ଆଜି ମ୍ୟାଚରେ ଭାରତୀୟ ଦଳ ଭଲ ସ୍କୋର କରିବା ସହ ବିଜୟୀ ହେବା ନେଇ ଆଶା ରଖିଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଓ ଓସିଏ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି । ଆଜି ସକାଳ ୧୦ଟାରେ ଉଭୟ ଟିମ ବାରବାଟିରେ ପହଞ୍ଚିବା ପରେ ମ୍ୟାଚ ଆରମ୍ଭ ହେବ । ପୂର୍ବରୁ ଚଳିତ ବିଶ୍ବକପର ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଆଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଭାରତ । ଏବେ ୫ ପଏଣ୍ଟ ହାସଲ କରି ଭାରତ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଅନ୍ୟପଟେ ବାଂଲାଦେଶ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରି ୬ ପଏଣ୍ଟ ସହ ଟେବୁଲ ଟପରେ ରହିଛି । ବାଟବାଟୀରେ ଭାରତ ବିଜୟୀ ହୋଇ ଟେବୁଲ ଶୀର୍ଷକୁ ଭେରିବାକୁ ଚେଷ୍ଟା କରିବ।

ପୂର୍ବରୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଓଡିଶାରେ ୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିଛି । ଏଣୁ ବାଟବାଟୀରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟୀ ହେବାକୁ ଆଶାବାଦୀ ଅଛୁ । ଓଡିଆ କ୍ରିକେଟ ଆସୋସିଏନ ସବୁବେଳେ ସହଯୋଗ ହାତ ବଢାଇଛି । ବାରବାଟୀ ଷ୍ଟାଡିୟମ ଭାରତୀୟ ଦୃଷ୍ଟିହୀନ ଖେଳାଳିଙ୍କ ପାଇଁ ଏକ ଲକି ଭେନ୍ୟୁ ବୋଲି କହିଛନ୍ତି ଅଧିନାୟକ ଅଜୟ ରେଡ୍ଡୀ ।