ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ଅନ୍ତର୍ଗତ ପତ୍ରୋପୁଟ ବ୍ରିଜରେ ବୁଲେଟ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୪ଜଣ ସାଙ୍ଗ ଛତିଶଗଡ଼ର ଚିତ୍ରକୁଟ ଅଭିମୁଖେ ଯାଉଥିବାବେଳେ ସାମ୍ନାପଟୁ ଛତିଶଗଡ଼ ନମ୍ୱର୍ ବିଶିଷ୍ଟ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣେ ବ୍ରିଜ୍ ଉପରେ ପଡ଼ିଥିବାବେଳେ ଅନ୍ୟଜଣେ ବୁଲେଟଚାଳକ ଛିଟିକି ପଡ଼ି ବ୍ରିଜ ତଳକୁ ଖସି ଯାଇଥିଲେ । ଘଟଣାସ୍ଥଳରେ ଜୟପୁର ସଦର ପୁଲିସ ସହ ବୈପାରିଗୁଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଲାଇ ମୃତ ଅବସ୍ଥାରେ କୋଲାବ ନଦୀରୁ ଯୁବକର ଶବ ଉଦ୍ଧାର କରିଛି ।