ମଧ୍ୟପ୍ରଦେଶରେ ‘ଭାରତ ଯୋଡ଼ୋ ଯାତ୍ରା’ ଆଜି ୯ମ ଦିନରେ ପହଞ୍ଚିଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଦେଖିବାକୁ ମିଳିଛି । ରାହୁଲଙ୍କ ଯାତ୍ରାରେ ଯୋଗଦେବା ପାଇଁ ସ୍ୱରା ଗତକାଲି ଇନ୍ଦୋର ପହଞ୍ଚିଥିଲେ । ରାହୁଲ ଚାଲିବା ସମୟରେ ବହୁ ସମୟ ଧରି ସ୍ୱରାଙ୍କ ସହ କଥା ହୋଇଥିବା ଦେଖିବାକୁ ମିଳିଛି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଆଜି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଗୋବିନ୍ଦ ସିଂହ ଓ ରାଜ୍ୟସଭା ସଦସ୍ୟ ପ୍ରମୋଦ ତିୱାରୀ ମଧ୍ୟ ସାମିଲ ଥିଲେ । ଆଜି ଯାତ୍ରା ସମୟରେ ରାହୁଲ ସ୍କୁଲ ପିଲାଙ୍କ ସହ ମଧ୍ୟ କଥା ହୋଇଥିଲେ । ଅନେକ ଶିଶୁ ଲଗାତାର ଭାବେ ତାଙ୍କ ଯାତ୍ରାରେ ସାମିଲ ହେଉଛନ୍ତି ।
ସୂଚନାଯୋଗ୍ୟ, ଭାରତ ଯୋଡ଼ୋ ଯାତ୍ରା ଆଜି ୮୩ ଦିନରେ ପହଞ୍ଚିଛି । ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ୩୬ଟି ଜିଲ୍ଲା ଦେଇ ଗତି କରିଛି । ନଭେମ୍ବର ୨୩ରେ ଏହି ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିଥିଲା ।