ଭବାନୀପାଟଣା,ଏନ୍ଏନ୍ଏସ୍: ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ସ୍ଥାନୀୟ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଏବଂ ଦୌରା ଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଓ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭ ଗୌତମ ମିଶ୍ର ଏହି ଶିବିର ଆୟୋଜନର ଉଦ୍ଦେଶ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ଏହି ଅବସରରେ ଅର୍ଥାଭାବ ହେତୁ ଆଇନ ସହାୟତା ପାଇବାକୁ ଯୋଗ୍ୟ ବ୍ୟକ୍ତି ନିଜର ନାର୍ଯ୍ୟ ଅଧିକାର ଓ ନ୍ୟାୟ ସହ ଆଇନଗତ ସାହାଯ୍ୟ କିଭଳି ପାଇପାରିବେ ଏବଂ ସରକାରଙ୍କ ବିଭିନ୍ନ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ, ତଥା ନିଜକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ସଚେତନତା ଉପରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।
