ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ସ୍ଥାନୀୟ ଅମଲା ଭବନ ଠାରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ଆଠମଲ୍ଲିକ ଅଞ୍ଚଳର କୋସଲ ସଂଗ୍ରାମୀମାନଙ୍କୁ ନେଇ ଏକ ସାଂଗଠନିକ ସଭା ଆୟୋଜିତ ହୋଇଯାଇଛି। ବରିଷ୍ଠ କୋସଲବାଦୀ ସଂଗ୍ରାମୀ ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କୋସଲ ଷ୍ଟେଟ୍ କୋଅର୍ଡିନେସନ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ କେଏସ୍ସିସିର ମୁଖ୍ୟ ସଂଯୋଜକ ପ୍ରଶାନ୍ତ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆନ୍ଦୋଳନକୁ ଗାଁ’ ଗାଁ’ରେ ପହଞ୍ଚାଇବାକୁ ସବୁ ସଂଗ୍ରାମୀଙ୍କୁ ଉପଦେଶ ଦେଇଥିଲେ। ଏହି ସଭାରେ ରାଜ୍ୟ ସରକାରଙ୍କ କୋସଳାଞ୍ଚଳ ପ୍ରତି ଦିନକୁ ଦିନ ବଢୁଥିବା ଅବହେଳାର ସ୍ୱତନ୍ତ୍ର ରାଜ୍ୟ ଏକମାତ୍ର ବିକଳ୍ପ ବୋଲି କରିବା ସହ ସବୁ କୋସଲବାଦୀ ସଂଗଠନ ମାନେ ଏକ ହୋଇ ମିଳିତ ଭାବେ ଲଢେଇ ଜାରି ରଖିବାକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ।
ଆଗାମୀ ଜାନୁଆରୀ ମାସରେ ସୋନପୁର ଠାରେ ୨ୟ କୋସଲ ମହାପଞ୍ଚାୟତ ଅନୁଷ୍ଠିତ ହେବା ନେଇ ଶ୍ରୀ ମିଶ୍ରଙ୍କ ଘୋଷଣାକୁ ସର୍ବସମ୍ମତ୍ତି କ୍ରମେ ସ୍ୱାଗତ କରିବା ସହିତ ସେନେଇ ପ୍ରସ୍ତୁତି ୧୫ ଦିନ ଭିତରେ ଆରମ୍ଭ କରିବାକୁ ସ୍ଥିର କରାଯାଇଥିଲା। ସେହିପରି ସାଂଗଠନିକ ସ୍ତରରେ ମଧ୍ୟ ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ବ୍ଲକ ସଂଗଠନକୁ ପୁର୍ନବାର ସଂଗଠିତ କରି ପଞ୍ଚାୟତ କମିଟି ମାନ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ସଭାରେ ବିଭିନ୍ନ କର୍ମକର୍ତ୍ତା ଉଦ୍ବୋଧନ ଦେଇ ଅଲଗା କୋସଲ ରାଜ୍ୟ ହିଁ ଏକମାତ୍ର ବିକଳ୍ପ ବୋଲି କହି ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଦୃଢ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଶେଷରେ ରବିଶଙ୍କର ମିଶ୍ର ଧନ୍ୟବାଦ ଦେବା ପରେ ସଭା ଶେଷ ହୋଇଥିଲା।