ଦେବଗଡ଼ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ଆଜି ଦେବଗଡ଼ ପୌରାଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କନକ ଦୁର୍ଗା ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଏହାସହ ବିଭିନ୍ନ ସ୍ଲୋଗାନ ଦେଇ ପ୍ରଧାନପାଟସ୍ଥିତ ପୌର ଶିଶୁ ଉଦ୍ୟାନରେ ଥିବା ଓଡ଼ିଶାର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ରାଜ୍ୟର ମହିଳା ସଶକ୍ତିକରଣ ଦେଶରେ ଉଦାହରଣ ସୃଷ୍ଟି କରିଥିବା ଉପସ୍ଥିତ ନେତୃ ମଣ୍ଡଳୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ, ନଗର ସଭାପତି ଶୁକଦେବ ଭଞ୍ଜ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି, ଏସଡିସିସି ବ୍ୟାଙ୍କ ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ବାରକୋଟ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା ଓ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅରୁଣି ପ୍ରଧାନଙ୍କ ସମେତ ଦଳୀୟ ବିଭିନ୍ନ ପଦାଧିକାରୀ ଓ କର୍ମୀ ସାମିଲ ହୋଇଥିଲେ । ଅକ୍ଟୋବର ୨ ତାରିଖରେ ରିଆମାଳ ବ୍ଲକ କୁଣ୍ଢେଇଗୋଳା ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ଜନ ସମ୍ପର୍କ ପଦଯାତ୍ରା ଆଜି ଦେବଗଡ଼ ପୌରାଞ୍ଚଳରେ ଅନୁଷ୍ଠିତ ହୋଇଥିବାବେଳେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା ଜାରି ରହିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।