ସଇଁନ୍ତଲାରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ କେନ୍ଦ୍ର ଉଦଘାଟିତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଶୁ ଚିକିତ୍ସାଳୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୨ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ କେନ୍ଦ୍ର ଉଦଘାଟନ ଓ ଦୁଗ୍ଧ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ଓ ଟିକ୍ରାପଡ଼ା ଜିଲ୍ଲାପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ରାଜ୍ୟ ସରକାର ସବୁବେଳେ ମହିଳା ଓ ଚାଷୀଙ୍କୁ ଗୁରୁତ୍ୱ ଦେଇ ଆସୁଥିବାବେଳେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଦୁଗ୍ଧ କେନ୍ଦ୍ର ଖୋଲାଗଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ମତ ଦେଇଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ୧ କୋଟି ୫୪ ଲକ୍ଷ ଟଙ୍କା ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଦୁଗ୍ଧ କେନ୍ଦ୍ର ପାଇଁ ଦିଆଯାଇଥିଲା । ତେବେ ସଇଁନ୍ତଲା, ଗୁଡ଼ଭେଲା ଓ ବଲାଙ୍ଗୀର ବ୍ଲକରେ ମଧ୍ୟ ମିନି ଚିଲି ପ୍ଲାଣ୍ଟ ଓ ଟ୍ୟାଙ୍କର କିଣିବା ପାଇଁ ସୋସାଇଟିକୁ ଉନ୍ନତି କରିବା ଲାଗି ଦିଆଯାଇଛି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀମାନେ ଚାଷ ଛଡ଼ା ଅନ୍ୟ ରୋଜଗାର ମଧ୍ୟ କରନ୍ତୁ । ଧାନ ଚାଷ ସାଙ୍ଗକୁ ପନିପରିବା ଓ ଦୁଗ୍ଧ ଚାଷ କରିବାର ଆବଶ୍ୟକତା ମଧ୍ୟ ରହିଛି । ତେଣୁ ଏହି ଦୁଗ୍ଧ କେନ୍ଦ୍ର ଉଦଘାଟନ ହେବାଦ୍ୱାରା ଅନେକ ଚାଷୀ ଓ ପ୍ରଥମ ପର୍ଯ୍ୟାୟରେ ୬୦୦ ପରିବାର ଉପକୃତ ହୋଇପାରବେ ।