ଦେବଗଡ଼,ଏନ୍ଏନ୍ଏସ୍ : କେନ୍ଦ୍ର ସରକାରଙ୍କ ଉପରେ ଭରସା ତୁଟାଇଲେ ଚାଷୀ । ଚାଷୀଙ୍କ ଫସଲ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ସହ ମିଶି କେନ୍ଦ୍ର ଖେଳ ଖେଳୁଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ସମ୍ପୂର୍ଣ ନିୟନ୍ତ୍ରଣରେ ବୀମା କମ୍ପାନୀଙ୍କୁ ରଖି ଚାଷୀଙ୍କ ଫସଲ ବୀମା ପ୍ରଦାନ କରିବାକୁ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲା କୃଷକ ସଂଘର୍ଷ ସଂଘ ଦାବୀ କରିଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ପଲସମା, କରଲଗା, ନୂଆଡ଼ିହି ଖିଲେଇ ଓ ବାରକୋଟ ବ୍ଲକର ଦନ୍ତାରୀବାହାଳ ଆଦି ୫ଟି ପଞ୍ଚାୟତର ଚାଷୀଙ୍କୁ ଗତ ବର୍ଷର ଫସଲ ବୀମା କ୍ଷତିପୂରଣ ଏଯାଏଁ ମିଳି ନଥିବାବେଳେ ଚାଷୀ ବିଭିନ୍ନ ସମୟରେ ଟଙ୍କା ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଆନ୍ଦୋଳନ କରିବା ଏବଂ ପ୍ରଶାସନ ଓ ବୀମା କମ୍ପାନୀଙ୍କ ପ୍ରତିଶ୍ରୁତି ପରେ ସରଳ ବିଶ୍ୱାସୀ ଚାଷୀ ଭରସା କରି ଆନ୍ଦୋଳନରୁ ନିବୃତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଗତ ନଭେମ୍ବର ୨୬ରେ ଆନ୍ଦୋଳନରତ ଚାଷୀଙ୍କୁ ବୀମା କମ୍ପାନୀ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ନେଇ ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହା ପୂରଣ ହୋଇନଥିବାରୁ ପୁଣିଥରେ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସଭାପତି ସେମ ହେମ୍ରାମଙ୍କ ନେତୃତ୍ୱରେ ସଦସ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅନ୍ୟପଟେ କ୍ଷତିଗ୍ରସ୍ତ ଚାଷୀ କେନ୍ଦ୍ର ସରକାର ଓ ବୀମା କମ୍ପାନୀର ମଧୁଚନ୍ଦ୍ରିକାରେ ନିଜ ପ୍ରାପ୍ୟ ଅର୍ଥ ହରାଇବା ଆଶଙ୍କା ପ୍ରକାଶ କରି ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଦାବୀ କରିଛନ୍ତି ।