ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଘ ପକ୍ଷରୁ ଦାବୀପତ୍ର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଘ ପକ୍ଷରୁ ଆଜି ୩ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘ ସଭାପତି ପ୍ରଜିତ କୁମାର ଭୋଜଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବୀପତ୍ରରେ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣି ସାହି ଓ ରାଜା ମୁଣ୍ଡା ଛକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ନାମକରଣ ଯଥାକ୍ରମେ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡା ଓ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରିବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମୁକୁନ୍ଦ ପ୍ରାଥମିକ ବିଦ୍ୟାଳୟ ଓ ପତ୍ରାପାଲି ପ୍ରାଥମିକ ବିଦ୍ୟାଳୟର ପୂନୁରୁଦ୍ଧାର ପାଇଁ ଦାବୀ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ବହୁଳ ଦେବଗଡ଼ ଜିଲ୍ଲାରେ ବସବାସ କରୁଥିବା ଲୋକଙ୍କୁ ଏଯାଏଁ ସାମାଜିକ ପରିଚୟ ପ୍ରଦାନରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟକ୍ରମ ହାତକୁ ନେଇ ନଥିବାରୁ ଅନୁସୂଚିତ ଜାତି ଓ ଜନଜାତିର ୨ ମହାପୁରୁଷଙ୍କ ନାମରେ ଜାତୀୟ ରାଜପଥର ଛକଗୁଡ଼ିକୁ ନାମିତ କରିବାକୁ ସଂଘ ଅନୁରୋଧ କରିଥିବା ଜଣାପଡ଼ିଛି ।