ଗରିବଙ୍କ ୧ ଟଙ୍କିଆ ଚାଉଳ ୧୮ ଟଙ୍କାରେ ବିକ୍ରି; ପିକ୍‌ଅପ୍‌ ଭେନ୍‌ ସହ ୨ ଅଟକ

ପାଟଣାଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାର ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବା ସହ ଲୋକମାନଙ୍କୁ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ଦରଦାମ ଯୋଗୁଁ ନିତିଦିନିଆ ସାମଗ୍ରୀ କିଣିବା ପାଇଁ କିଛି ଗରିବ ଶ୍ରେଣୀର ଲୋକ ଦଲାଲଙ୍କ ହାବୁଡ଼ରେ ପଡି ସରକାର ଦେଇଥିବା ୧ ଟଙ୍କିଆ ଚାଉଳକୁ ୧୮ ଟଙ୍କାରେ ବିକି ଦେଉଛନ୍ତି। ଏହାର ଏକ ପ୍ରମାଣ ମିଳିଛି ପାଟଣାଗଡ଼ ସହରରେ ଥିବା ୬ ଓ ୮ ନମ୍ବର ୱାର୍ଡର ସଆରା ପଡ଼ାରେ। ସୂଚନା ଅନୁଯାୟୀ ଦୁଣ୍ଡେଲ ଗାଁ’ର ଜଣେ ଅସାଧୁ କଲା ବେପାରୀ ମାଧବ ମେହେର ଏକ ପିକ୍‌ଅପ୍‌ ଭେନ ଯାହାର ନମ୍ବର ଓଡ଼ି-୦୩ଟି-୫୬୨୩ରେ ପିଡ଼ିଏସ୍‌ ଚାଉଳ ୧୮ ଟଙ୍କାରେ କିଣି ଗାଡ଼ିରେ ଭର୍ତ୍ତି କରିଥିଲେ।

ପାଟଣାଗଡ଼ ପୁଲିସ ବିଶ୍ୱସ୍ଥସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଚାଉଳ ବୋଝେଇ ଗାଡିକୁ ଜବତ କରି ଥାନାକୁ ଆଣି ଅଧିକ ପଚରାଉଚରା କରି ଗାଡିଚାଳକ ଚୁଳ ଚକ୍ରବର୍ତ୍ତୀ କାଣ୍ଡକୁ ଅଟକ ରଖି ପଚରାଉଚରା କରିବା ସହିତ ଅସାଧୁ ବେପାରୀଙ୍କୁ ଆଜି ନିଜ ଗାଁ’ରୁ ଡକାଇ ଅଧିକ ତଦନ୍ତ କରିଛି। ଜବତ କରାଯାଇଥିବା ଚାଉଳକୁ ପାଟଣାଗଡ଼ ଯୋଗାଣ ବିଭାଗର ଅଧିକାରୀ ରାଜରାମ ହୋତା ପହଞ୍ଚି ତଦନ୍ତ କରି ଜବତ ହୋଇଥିବା ଚାଉଳ ପିଡ଼ିଏସ ଚାଉଳ ବୋଲି ତଦନ୍ତରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଯୋଗାଣ ବିଭାଗ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।