ଅମରାବତୀ,ଏଜେନ୍ସି: ଚନ୍ଦ୍ରଯାନ-୨ ମିଶନ ବିଫଳତା ପରେ ଚନ୍ଦ୍ରଯାନ-୩ ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଏନେଇ ଚୂଡାନ୍ତ ପରୀକ୍ଷା ଏକ ପ୍ରକାଶ ଶେଷ ହୋଇଛି । ଆସନ୍ତା ବର୍ଷ ଜୁନ ଆଡକୁ ଚନ୍ଦ୍ରଯାନ-୩ ମିଶନ ପାଇଁ ଯୋଜନା ରଖିଥିବା କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । ଚନ୍ଦ୍ରଯାନ-୩ ପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ସରିଛି । ଜୁନ୍ ବେଳକୁ ସବୁ କିଛି ଠିକଠାକ୍ ହୋଇଯାଇଥିବ । ଶେଷ ଇଣ୍ଟିଗ୍ରେସନ ଏବଂ ଟେଷ୍ଟିଂ ସରିଛି, ହେଲେ ଆଉ କିଛି ପରୀକ୍ଷା ନିରୀକ୍ଷା ବାକି ରହିଛି । ତେଣୁ ଆଉ ଅଳ୍ପ କିଛି ମାସ ପରେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବ ବୋଲି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଚେୟାରମ୍ୟାନ୍ ଏସ. ସୋମନାଥ । ଶ୍ରୀହରିକୋଟା ସତୀଶ ଧାୱନ ଗବେଷଣା ସଂସ୍ଥାରୁ ରକେଟ୍ ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ର ୩୬ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ ଉତକ୍ଷେପଣ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଇସ୍ରୋ ମୁଖ୍ୟ ।
ଚନ୍ଦ୍ରଯାନ-୨ ମିଶନ ଫେଲ୍ ମାରିଥିବାରୁ ଚନ୍ଦ୍ରଯାନ-୩ ମିଶନରେ ଅନେକ ପରିବର୍ତ୍ତନ କରାଯାଇଛି । ୨୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ମିଶନରେ ଲ୍ୟାଣ୍ଡର ରୋଭର ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଥିଲା । ଫଳରେ ମିଶନ ଫେଲ ହୋଇଥିଲା । ତେଣୁ ସି-୩ ବର୍ତ୍ତମାନ ପ୍ରସ୍ତୁତ ସରିଛି, ଏହା ସି-୨ ଭଳି ନୁହେଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ସି-୨ ଭଳି ଏଥର ରୋଭର ରହିଛି । ସି-୩ ରୋଭର ବୈଶିଷ୍ଟ ସି-୨ ଠାରୁ ଅଲଗା ରହିଛି । ତେଣୁ ଏଥିର କିଛି ସମସ୍ୟା ରହିବ ନାହିଁ ବୋଲି ଆଶା । ପରୀକ୍ଷା ପାଇଁ ଫେବୃୟାରୀ କିମ୍ବା ଜୁନରେ ଦୁଇଟି ସ୍ଲଟ୍ ରହିଛି । ଜୁନ୍ ହିଁ ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।