ଭବାନୀପାଟଣା,ଏନ୍ଏନ୍ଏସ୍: ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିଯୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୨୨୦ଜଣ ଛାତ୍ରୀ ତାମିଲନାଡୁର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସକାଳ ୮ଟାରେ ଉପସ୍ଥିତ ରହି ଛାତ୍ରୀଙ୍କୁ ନେଇ ଯାଉଥିବା ୫ଟି ବସକୁ ପତାକା ଦେଖାଇ ଶୁଭ କାମନା ଜଣାଇଥିଲେ । ରାଜ୍ୟ ସରକାରଙ୍କ ସହଯୋଗ ତଥା ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରଥମ କରି ଏତେ ସଂଖ୍ୟକ ଛାତ୍ରୀ ନିଯୁକ୍ତି ପାଇବା ଆମ ପାଇଁ ଖୁସିର ଖବର ବୋଲି ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଡିଓଙ୍କ ତତ୍ତ୍ୱାବଧାନରେ ଛାତ୍ରୀମାନେ ଆଇଟିଆଇରେ ପହଞ୍ଚିଥିଲେ । ବସରେ ଛାତ୍ରୀମାନେ ଭୁବନେଶ୍ୱର ଏୟାରପୋର୍ଟ ପହଞ୍ଚି ସେଠାରୁ ବାଙ୍ଗାଲୋର ଯାଇ ହୋସୁର ପହଞ୍ଚିବେ । ଛାତ୍ରୀଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା କରିବା ପାଇଁ ଜିଲ୍ଲା ନିୟୋଜନ ସଂସ୍ଥାରୁ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ତଥା ଅନ୍ୟ ଷ୍ଟାଫ ୨ଦିନ ହୋସୁରରେ ଅବସ୍ଥାନ କରିବେ । ଏହି ସମୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଡିପିଏମ, ଓଏଲଏମ ପ୍ରଶାନ୍ତ ମିଶ୍ର ଓ ଏପିଡି ବିମ୍ବାଧର ସାହୁଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।