ବିଭିନ୍ନ ଦାବୀ ନେଇ ଉତ୍କଳ କନ୍ଧ ସମାଜର ସ୍ମାରକ ପତ୍ର ପ୍ରଦାନ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଉତ୍କଳକନ୍ଧ ସମାଜ ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଦିନ ୧୦ଟାରେ ବହୁ ଆଦିବାସୀ ସ୍ଥାନୀୟ ଆଦିବାସୀ ଭବନରେ ଏକତ୍ରିତ ହୋଇ ପାରମ୍ପରିକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଉତ୍କଳ କନ୍ଧ ସମାଜର ପ୍ରମୁଖ ଦାବୀଗୁଡ଼ିକ ମଧ୍ୟରେ କନ୍ଧ ସମାଜରୁ ବହିଷ୍କୃତ କେତେକ ବ୍ୟକ୍ତି ବିଶେଷ ବିଭିନ୍ନ ସମୟରେ ସଂଗଠନର ଲୋଗୋ, ରେଜିଷ୍ଟ୍ରେସନ୍ ନମ୍ବର ତଥା ବ୍ୟାନର ବ୍ୟବହାର କରି ସରକାର ତଥା ସ୍ଥାନୀୟ ପ୍ରଶାସନ ବିରୁଦ୍ଧରେ ଧର୍ମଘଟ, ରାସ୍ତାରୋକ ଓ ଅଫିସ ଘେରାଉ ଆଦି କାର୍ଯ୍ୟକ୍ରମ ଆୟୋଜିତ କରୁଥିବାବେଳେ ଏମାନଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହାବ୍ୟତୀତ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ କନ୍ୟାଶ୍ରମ, ସେବାଶ୍ରମ ଓ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରିବା, କନ୍ଧ ତଥା ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେଇ ସ୍ଥାୟୀ ପଟ୍ଟା ପ୍ରଦାନ କରିବା, ଆଦିବାସୀ ଅଧୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଖାଲିଥିବା ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଆଦି ଦାବୀ କରାଯାଇଛି । ଏହି ବିକ୍ଷୋଭ ଶୋଭାଯାତ୍ରାରେ ଜିଲ୍ଲାର ୧୪ଟି ପ୍ରଗଣାର ସଭାପତି ଓ ସମ୍ପାଦକଙ୍କ ସହ ଶତାଧିକ ଆଦିବାସୀ ଉପସ୍ଥିତ ଥିଲେ ।