କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଜୟପାଟଣା ଡାକ୍ତରଖାନାରୁ ଜଣେ ହଇଜା ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବିଳମ୍ବିତ ରାତିରେ ଭବାନୀପାଟଣା ଡାକ୍ତରଖାନା ନେଉଥିବା ସମୟରେ ଜୁନାଗଡ଼ ବ୍ଲକ୍ ମହିଚଳା ମଣ୍ଡି ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ରୋଗୀଙ୍କ ସମେତ ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ ଜୟପାଟଣା ବ୍ଲକ କପୁର ମାଲ୍ ଗାଁ’ର ସୁମିତ୍ରା ଦୂର୍ଗା(୫୦)ଙ୍କୁ ଝାଡ଼ା ଓ ଜ୍ଵର ହେଉଥିବାରୁ ପରିବାର ଲୋକେ ତାଙ୍କୁ ଗତକାଲି ଜୟପାଟଣା ଡାକ୍ତରଖାନା ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ୧୦୮ ଆମ୍ବୁଲାନ୍ସ ଜରିଆରେ ନେଉଥିଲେ। ଏହି ସମୟରେ ଜୁନାଗଡ ଥାନା ମହିଚଲା ଗ୍ରାମ ନିକଟରେ ଏକ ତାଳ ଗଛରେ ଉକ୍ତ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ପିଟି ହୋଇଥିଲା। ଫଳରେ ଗାଡିରେ ଥିବା ଆମ୍ବୁଲାନ୍ସ କର୍ମଚାରୀ ଏବ୍ଂ ରୋଗୀ ପରିବାର ଲୋକେ ଆହତ ହୋଇଥିଲେ।
ଅନ୍ୟପଟେ ଘଟଣାସ୍ଥଳରେ ହିଁ ରୋଗୀ ସୁମିତ୍ରା ଦୂର୍ଗାଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଭବାନୀପାଟଣା ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ଉପସ୍ଥିତ ହୋଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।