ଆଭାସୀ ସତ୍‌ସଂଘର ୭୦୦ ଦିନ ପୂର୍ତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସତ୍‌ସଂଘ ଭୁବନେଶ୍ୱର ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ଦୈନିକ ଅନୁଷ୍ଠିତ ହୋଇଆସୁଥିବା ପ୍ରାତଃ ସତସଂଘ ଆଜି ୭ ଶହ ଦିନରେ ପହଞ୍ଚିଛି। ପ୍ରତ୍ୟେକ ଦିନ ସକାଳ ୬ଟା ୧୫ରେ ଆରମ୍ଭ ହୋଇ ସକାଳ ୧୦ଟା ୩୦ ସୁଦ୍ଧା ଶେଷ ହେଉଥିବା ଏହି ଆଭାସୀ ସତସଂଘରେ ରାଜ୍ୟ, ଦେଶ ତଥା ବିଦେଶରେ ରହୁଥିବା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭକ୍ତମାନେ ନିତ୍ୟନୈମିତ୍ୟ ଭାବେ ଶ୍ରୀ ଶ୍ରୀ ଠାକୁରଙ୍କର ବିନତୀ ପ୍ରାର୍ଥନା, ପବିତ୍ର ଗ୍ରନ୍ଥପାଠ, ଭଜନ, କୀର୍ତ୍ତନ, କୋରସ ଓ ଦିବ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଯୋଗଯୁକ୍ତ ହୋଇଥିବା ଭକ୍ତମଣ୍ଡଳୀଙ୍କର ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ସହ ନିଜକୁ ଧନ୍ୟ ମନେ କରନ୍ତି। ଓଡ଼ିଶା ସତସଂଘ, ଭୁବନେଶ୍ୱରର ସଂଯୋଜକ ଶ୍ରୀ ଶ୍ରୀ ଠାକୁରଙ୍କର ଏକନିଷ୍ଠ ଭକ୍ତ ସୁବାସ ଚନ୍ଦ୍ର ସାହୁଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ପ୍ରତ୍ୟହ ଏହି ଆଭାସୀ ସତସଂଘ ଆଗେଇ ଚାଲିଛି। ପ୍ରତି ସପ୍ତାହର ବୁଧବାର ଓ ରବିବାର ଯଥାକ୍ରମେ ମାତୃସମ୍ମିଳନୀ ଓ ଶିଶୁ ସତସଂଘ କରାଯାଉଛି।

ପ୍ରକାଶ ଥାଉ କି ସାଂପ୍ରତିକ ପରିସ୍ଥିତିରେ ପରିବାର ତଥା ସମାଜରେ ଦେଖାଯାଉଥିବା ବ୍ୟତିକ୍ରମ ଚଳଣିକୁ ସଜାଡ଼ି ଏକ ସୁସ୍ଥ ସମାଜ ଗଠନ ସହ ଏକ ସୁଖୀ ପରିବାର ତିଆରି କରିବା ହେଉଛି ସତସଂଘର ଆଭିମୁଖ୍ୟ । ୭ ଶହ ତମ ଦିବସ ସତସଂଘରେ ସୁକାନ୍ତ ଚରଣ ସେଠୀ, ପ୍ରାତଃ ବିନତୀ ପ୍ରାର୍ଥନା କରିଥିବାବେଳେ ଠାକୁରଙ୍କର ସହପ୍ରତିଋତିକ ବିପିନ ବିହାରୀ ମିଶ୍ର ଓ ବିପିନ ବିହାରୀ ନାୟକ ଯଥାକ୍ରମେ ପବିତ୍ର ଗ୍ରନ୍ଥ ସତ୍ୟାନୁସରଣ ଓ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ପାଠ କରିଥିଲେ।

ଆସାମର ସୁଶ୍ରୀ ଦେବହୁତୀ ଚକ୍ରବର୍ତ୍ତୀ, କେନ୍ଦୁଝରର ପଟେଲ କୁମାର ମହନ୍ତ, କୋଲକାତାର ପ୍ରୀତିବସୁ, ଢେଙ୍କାନାଳର ଶୋଭନା ମଲ୍ଲିକ ଓ ଭୁବନେଶ୍ୱରର କେଶବ ଚନ୍ଦ୍ର ସାହୁ ପ୍ରମୁଖ ଠାକୁରଙ୍କର ଭଜନ ପରିବେଷଣ କରିଥିଲେ। ଅନୁଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଆଲୋଚନାରେ ଡ. ରମାକାନ୍ତ ମିଶ୍ର, ସପ୍ରଋ, ଅଭୟ କୁମାର ପରିଡ଼ା, ସପ୍ରଋ, ଲକ୍ଷ୍ମୀଧର ସାହୁ, ସପ୍ରଋ, ରମେଶ ଚନ୍ଦ୍ର ମିଶ୍ର, ସପ୍ରଋ, ପଣ୍ଡିତ ହୃଷୀକେଶ ଆଚାର୍ଯ୍ୟ, ସପ୍ରଋ ଯୋଗଦେଇ ଜୀବନରେ ଜଣେ ଜଣେ ଭଲମଣିଷ ହୋଇ ସୁସ୍ଥ ସମାଜ ଗଠନ କରିବା ଉପରେ ଆଲୋଚନା କରିଥିବାବେଳେ ସାଉଥ୍‌ ଆଫ୍ରିକାରେ ରହୁଥିବା ସୁମନ୍ତ କୁମାର ମହାନ୍ତି, ସପ୍ରଋ ମୁଖ୍ୟବକ୍ତା ଭାବେ ଯୋଗଦେଇ ଠାକୁରଙ୍କ ଭାବଧାରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।