ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଦିଗରେ ଉଲ୍ଲେଖନୀୟ ଭାବରେ କାର୍ଯ୍ୟ କରିଥିବା ଜାତି ସମାଜର ମୁଖ୍ୟମାନଙ୍କୁ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିବା ସହିତ, ବାଲ୍ୟ ବିବାହ ପରି ସାମାଜିକ ବ୍ୟାଧିକୁ ରୋକିବା ନିମନ୍ତେ ପ୍ରଶାସନ ଓ ଜାତି ସମାଜର ମୁଖ୍ୟମାନେ ମିଳିତ ଭାବରେ ଗ୍ରାମସ୍ତରରେ ବ୍ୟାପକ ଭାବରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଏଥିନିମନ୍ତେ ଶନିବାର ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ, ୟୁନିସେଫ୍, ଆକ୍ସନଏଡ ଓ ବିଭିନ୍ନ ଜାତି ସମାଜର ମୁଖ୍ୟମାନଙ୍କ ମଧ୍ୟରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ବୈଠକରେ ଜିଲ୍ଲାପାଳ ଡ. ମିଶ୍ର ଅଧ୍ୟକ୍ଷତା କରି କହିଲେ ଯେ, ଜିଲ୍ଲାରେ ପ୍ରତ୍ୟେକ ଶିଶୁ ମାନଙ୍କ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି।
ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେବା ସହିତ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜିଲ୍ଲାରେ ୪୫୦ଟି ବାଲ୍ୟ ବିବାହ ରୋକାଯିବା ସହିତ ୮୮୧ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଥିବାର ସୂଚନା ଥିଲେ।
ଆକ୍ସନଏଡ ସଂସ୍ଥାର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ। ପରେ ଜିଲ୍ଲାପାଳଙ୍କ ଅନୁରୋଧରେ ଉପସ୍ଥିତ ଥିବା ୨୮ଟି ଜାତିସମାଜର ମୁଖ୍ୟମାନେ ଜିଲ୍ଲାରେ ବାଲ୍ୟବିବାହ ଘଟୁଥିବାର କାରଣ ଓ ଏହାର ନିରାକରଣ ନିମନ୍ତେ ନିଜ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେଇଛନ୍ତି ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲାପରିଷଦ ସିଇଓ ରତ୍ନାକର ସାହୁ, ସହାୟକ ଆରକ୍ଷୀ ବବିତା ତ୍ରିପାଠୀ, ମଣ୍ଡଳ ଶ୍ରମଆୟୁକ୍ତ କୁବେର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଦିବାକର ବାହୁକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଡିପିଏଚ୍ଓ ଡାକ୍ତର ମଳୟ କୁମାର ତ୍ରିପାଠୀ, ଜିଲ୍ଲା ନିଯୁକ୍ତି ଅଧିକାରୀ ଆନନ୍ଦ ଚନ୍ଦ୍ର ପଳାଇ, ସହାୟକ ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ବାଲ୍ୟବିବାହ ନିଷେଧ ଅଧିକାରୀ, ଏସ୍ ଗୀତା, ସୁନିତା ଦେବୀ ତ୍ରିପାଠୀ, ଗୀତା ମହାରଣା, ଶୈଳେନ୍ଦ୍ରି ମହାନଦ, ଯମୁନା ଭତ୍ରା, ସଞ୍ଜୁକ୍ତା ବେହେରା, ଗୀତା ମିଶ୍ର, ବିରଜା ମୋହିନୀ ପାଙ୍ଗି, ସୁରମା ମହାପାତ୍ର, ମନୋରଞ୍ଜନ ବିଷୋୟୀ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ, ୱାନଷ୍ଟପ୍ ସେଣ୍ଟର ପରିଚାଳିକା ରଞ୍ଜିତା ସାହୁ ଓ ଜିଲ୍ଲାରେ ଥିବା ବିଭିନ୍ନ ଜାତି ସମାଜର କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟ ବିବାହର ସମାପ୍ତ ଦିଗରେ ଜାତି ସମାଜର ମୁଖ୍ୟଙ୍କର ଭୂମିକା ଓ ସାମାଜିକ ଦାୟିତ୍ଵ ଉପରେ ନିଜର ମତାମତ ପ୍ରଦାନ କରିଥିଲେ। ଶେଷରେ ସହାୟକ ସମାଜ ମଙ୍ଗଳ ଅଧିକାରୀ ମଧୁସୂଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।