ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ ବିଭାଗର ମିଳିତ ସହଯୋଗରେ ବିଶ୍ୱ ହାତଧୁଆ ଦିବସ ଓ ବିଶ୍ୱ ଛାତ୍ର ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୋଗଗୁରୁ ତ୍ରିପତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଅମିତା ରାୟ କର୍ଯ୍ୟକ୍ରମର ପୌରହିତ୍ୟ କରିଥିଲେ । ଏଥିସହିତ ଅଧ୍ୟାପକ ବିବେକ କୁମାର ମହାଳିକ, ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଖିଳ କୁମାର ଭଟ୍ଟ ଓ ଅଧ୍ୟାପକ ପଞ୍ଚାନନ ଦୁରିଆ ପ୍ରମୁଖ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିବାରୁ ଆୟୋଜକଙ୍କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ହାତଧୁଆ ପ୍ରଣାଳୀ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଏହା ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।