ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ୧୭ ବର୍ଷ ବୟସ୍କା ୧୦୦ ମିଟର ସ୍ପ୍ରିଣ୍ଟ ହର୍ଡଲର ସବିତା ଟପ୍ପୋ କୁଏତରେ ଅନୁଷ୍ଠିତ ଏସୀୟ ଯୁବ ଆଥଲେଟିକ୍ସ ଚମ୍ପିଆନ୍ସିପରେ ପ୍ରଭାବୀ ୧୪.୧୭ ସେକେଣ୍ଡ ପ୍ରଦର୍ଶନ ସହିତ ରୌପ୍ୟ ପଦକ ଏବଂ ଭୋପାଳରେ ଜାତୀୟ ଯୁବ (୧୮ବର୍ଷରୁ କମ୍) ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଓଡ଼ିଶାର ସୁନ୍ଦରଗଡ ଜିଲାରୁ ଆସିଥିବା ଏବଂ ପରିବାରର ଛଅ ସନ୍ତାନ ସନ୍ତତିଙ୍କ ମଧ୍ୟରେ ସର୍ବକନିଷ୍ଠା ଥିବା ସବିତା ୨୦୧୯ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍ପିସିରେ ଯୋଗଦେଇଥିଲେ ଏବଂ ତାହା ତାଙ୍କ ଜୀବନରେ ରୂପାନ୍ତରଣକାରୀ ପରିବର୍ତ୍ତନ ଆଣିଥିଲା । ତାଙ୍କ ସମୟରେ (ଟାଇମିଂ) ସେବେଠାରୁ ଦୁଇ ସେକେଣ୍ଡ ଉନ୍ନତି ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ସବିତାଙ୍କୁ ତାଙ୍କର ପ୍ରଦର୍ଶନ ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି ।
ଟ୍ବିଟରେ ଲେଖାଯାଇଛି ଯେ, ଓଡ଼ିଶା ଆଥଲେଟ୍ ସବିତା ଟପ୍ପୋ ୪ର୍ଥ ଏସୀୟ ଯୁବ ଆଥଲେଟିକ୍ସ ଚମ୍ପିଆନ୍ସିପରେ କୁଏତଠାରେ ୧୪.୧୭ ସେକେଣ୍ଡ ଟାଇମିଂ ସହିତ ରୌପ୍ୟ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଉଛି । ସେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବା ଜାରି ରଖନ୍ତୁ ବୋଲି ମୁଁ ଶୁଭକାମନା କରୁଛି । ଭବିଷ୍ୟତରେ ତାଙ୍କର ସମସ୍ତ ପ୍ରୟାସରେ ତାଙ୍କର ସର୍ବୋତ୍ତମ ସଫଳତା କାମନା କରୁଛି ।”
ଅନ୍ୟପକ୍ଷରେ ସବିତା କହିଛନ୍ତି, “ଏହି ପଦକ ଜିତି ମୋତେ ଅତ୍ୟନ୍ତ ଖୁସି ଲାଗୁଛି । ଏଥିପାଇଁ ଅନେକ କଠିନ ପରିଶ୍ରମ କରିବାକୁ ପଡ଼ିଛି ଏବଂ ମୁଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଶୁଭେଚ୍ଛା, ଓଡ଼ିଶା ସରକାର ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍ପିସିର ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ଏବେ ମୁଁ ପ୍ରତିଟି ରେସ୍ରେ ମୋର ଟାଇମିଂରେ ଉନ୍ନତି ଆଣିବା ନିମନ୍ତେ ଲକ୍ଷ୍ୟ ରଖିଛି ଏବଂ ମୋର କୋଚ୍ମାନଙ୍କ ସହିତ ମିଶି ସେ ଦିଗରେ କାର୍ଯ୍ୟ କରୁଛି ।”
ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ପ୍ରୋଗ୍ରାମର ଆଥଲେଟିକ୍ସ ଡାଇରେକ୍ଟର ଜେମ୍ସ୍ ହିଲିଅର କହିଛନ୍ତି, “ସବିତାଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟୀ । ବ୍ୟକ୍ତିଗତ ସମସ୍ୟାରୁ ଊର୍ଦ୍ଧ୍ୱକୁ ଉଠି ସର୍ବୋଚ୍ଚ ସ୍ତରରେ ପ୍ରଦର୍ଶନ ଜାରି ରଖିବାକୁ ଯଥେଷ୍ଟ ମନୋବଳ ଲୋଡା ଏବଂ ତାଙ୍କ ନିକଟରେ ସେହି ଗୁଣ ଭରିରହିଛି । ସେ ତାଙ୍କ କୋଚ୍ ରୋହିତ ମାନେଙ୍କ ସହିତ ପ୍ରଚେଷ୍ଟା ଜାରିରଖି ତାଙ୍କ ରେସ୍ର ଚମତ୍କାର ଉନ୍ନତି କରିପାରିଛନ୍ତି ଏବଂ ଆଗାମୀ ମାସଗୁଡିକରେ ମୁଁ ତାଙ୍କଠାରେ ଯଥେଷ୍ଟ ସମ୍ଭାବନା ଲକ୍ଷ୍ୟ କରୁଛି ।”