କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲା ପ୍ରଶାସନର ବାଲିଯାତ୍ରା ପ୍ଲଟ ଆବଣ୍ଟନ ପଦ୍ଧତିକୁ ବିଜେପି ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଦ୍ୱାରା ଡକାଯାଇଥିଲା। ବରିଷ୍ଠ ନେତା ନୟନ କିଶୋର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଐତିହାସିକ କଟକ ବାଲିଯାତ୍ରା ଖ୍ରୀଷ୍ଟ ପୂର୍ବ ୨୬୬ରୁ କଟକରେ ନିରବଛିନ୍ନ ଭାବେ ଚାଲିଆସିଛି ଯାହାର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହାରେ ବାଲିଯାତ୍ରା ପଡିଆର ଭାଜପା ମିଟିଂ ପରେ ଇଣ୍ଡୋନେସିଆ ଗସ୍ତରେ ଯାଇ ଖୁବ ପ୍ରଶଂସାରେ ବଖାଣି ଥିଲେ, ଯାହାକୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଇଉନେସ୍କୋରେ ବିଶ୍ଵମାନ୍ୟତା ପାଇଁ ଦାବି ରଖିଛନ୍ତି। ଗୁଗଲ ମଧ୍ୟ ଏହାକୁ ଏସିଆର ସବୁଠୁ ବଡ଼ ହାଟ ବୋଲି କହିସାରିଛି।
ଯେଉଁଠିକୁ ଘରକରଣା ତଥା ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଶସ୍ତାରେ କିଣିବା ପାଇଁ ମେଳାକୁ ଦୈନିକ ହଜାର ହଜାର ଲୋକ ଯାଆନ୍ତି, ଯାହା ଓଡିଶାର କଳା ସଂସ୍କୃତି ଓ ବିଦେଶ ଯାତ୍ରା ତଥା ପରମ୍ପରାର ଏକ ଶକ୍ତିଶାଳୀ ଜୀବନ୍ତ ସାକ୍ଷୀ, ଯାହାର ୮୦୦ ବର୍ଷ ମୋଗଲ ଶାସନ ଏବଂ ୨୦୦ ବର୍ଷ ଇଂରେଜ ଶାସନରେ ମଧ୍ୟ ଶୃଙ୍ଖଳା ଭଙ୍ଗ ହେଇପାରିନି, ସେହି ବାଲିଯାତ୍ରାର ଆସ୍ଥା ଓ ଅସ୍ମିତା ପ୍ରତି କଟକ ଜିଲ୍ଲା ପ୍ରଶାସନର ବିପଦ ଆଦୌ ସହଣୀୟ ନୁହେଁ।
ଭୁବନେଶ୍ୱରରେ ୫ ବର୍ଷ ହେବ ଆରମ୍ଭ ହୋଇଥିବା ଏଭଳି ଯାତ୍ରାର ପ୍ଲଟ ମୂଲ୍ୟ ବହୁ କମ୍ ଥିଲା ବେଳେ ଏଠି କଟକ ଜିଲ୍ଲା ପ୍ରଶାସନ ଗରୀବ ବ୍ୟବସାୟୀଙ୍କ ଉପରେ ଦାଉ ସାଧିଲା ଭଳି ଲାଗୁଛି। କରୋନା ୨ ବର୍ଷ ପରେ ପ୍ଲଟ୍ ମୂଲ୍ୟ କମାଇ ବ୍ୟବସାୟୀଙ୍କୁ ସୁବିଧା ଦେବା ପରିବର୍ତ୍ତେ ହଠାତ୍ ଦର ବଢ଼ାଇବା ତଥା ପ୍ଲଟର ନିଲାମ ପଦ୍ଧତିକୁ ମଧ୍ୟ ବିରୋଧ କରିଛନ୍ତି ଭାଜପା ନେତାମାନେ। ଏଥିରେ ବଡ଼ ବ୍ୟବସାୟୀ କେବଳ ଉପକୃତ ହୋଇପାରନ୍ତି, କିନ୍ତୁ ଯେଉଁମାନେ ହଜାର ବର୍ଷ ଧରି କୌଳିକ ଵୃତ୍ତିରୁ ଏଠାରେ ବେପାରକରି ଜୀବିକା ଅର୍ଜନ କରନ୍ତି। ସେମାନେ ଏବେ କରିବେ କ’ଣ ବୋଲି ପ୍ରଶ୍ନ ପଚାରିଛନ୍ତି ବିଜେପି ନେତା। ନିଲାମ ପ୍ରକ୍ରିୟା ଚାଲିଲେ ବାଲିଘାଟ, ମଦଦୋକାନ ନିଲାମ ଭଳି କଟକରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ମଧ୍ୟ ବିଚିତ୍ର ନୁହେଁ। ଏଣୁ ପ୍ରଶାସନ ଏ ନିଷ୍ପତି ନେବା ପୂର୍ବରୁ କଟକର ଜନ ପ୍ରତିନିଧି, ବିଭିନ୍ନ ଦଳ ମୁଖ୍ୟ, ବ୍ୟବସାୟୀ ପ୍ରତିନିଧି ମାନଙ୍କୁ ବସାଇ ବିଚାର କରିବାର ଆବଶ୍ୟକତା ଥିଲା।
ରାଜସ୍ୱ ଅଧିକ ପାଇବା ଲୋଭରେ ବାଲିଯାତ୍ରା ଭଳି ଐତିହାସିକ ମେଳାକୁ ବ୍ୟବହାର କରିବା ଠିକ ନୁହେଁ। ବୈଷ୍ଣବ ପାଣି ମଞ୍ଚରେ ବମ୍ବେ ଦିଲ୍ଲୀରୁ ବିପୁଳ ଅର୍ଥରେ ବଡ଼ ବଡ କଳାକାର ନଆଣି, କମ ଅର୍ଥରେ ଓଡିଶାର ବହୁ ଭଲ କଳାକାର ତଥା ମେଧାବୀଙ୍କୁ ସମ୍ବର୍ଦ୍ଧନା ଓ ସୁଯୋଗ ଦିଆଯିବାକୁ ଭାଜପା ନେତାମାନେ ଦାବି କରିଥିଲେ। ରାଜସ୍ୱ ଅଭାବ ପଡୁଥିଲେ ସରକାର ମଠ ମନ୍ଦିରକୁ ଆର୍ଥିକ ସହଯୋଗ ଦେଲା ଭଳି ଏହି ମେଳାକୁ ମଧ୍ୟ ସହଯୋଗ କରି ଏହାର ଶ୍ରୀ ବଢ଼ାଇ ପାରିଥାନ୍ତେ। ଦୀର୍ଘ ଦିନ ଧରି ଏହି ମେଳାର ଗୁରୁତ୍ୱକୁ ଯେଉଁ ବ୍ୟବସାୟୀ ମାନେ ବଢ଼ାଇଛନ୍ତି, ତାଙ୍କ ସହ ବିବାଦ ନକରି ଆଲୋଚନା କରି ଆଗେଇବା ଉଚିତ ଥିଲା। ପୂର୍ବରୁ ତହସିଲ ପାଖରେ ସମୟ ପୂର୍ବରୁ ପ୍ଲଟ୍ ନେବା ପାଇଁ ବ୍ୟବସାୟୀମାନେ ପ୍ରବଳ ଭିଡ଼ କରୁଥିବା ବେଳେ, ଏବେ ପ୍ରଶାସନକୁ ବୁଲି ବୁଲି କଟକ ବଜାରରେ ଅଟୋରେ ଡାକିବାକୁ ପଡୁଛି। ଏହି ମେଳାକୁ ଶ୍ରୀହୀନ କରିବା ପାଇଁ ଏକ ଚକ୍ରାନ୍ତ କି ବୋଲି ପ୍ରଶ୍ନ ପଚାରିଛି ଭାଜପା। ପ୍ରଶାସନ ଏହି ବିଷୟରେ ସ୍ୱଚ୍ଛତା ଆଣିବା ପାଇଁ ମଧ୍ୟସ୍ଥିଙ୍କୁ ବା ଦଲାଲଙ୍କୁ ମୁକାବିଲା ପାଇଁ ପୁଲିସ ସହଯୋଗରେ ବ୍ୟବସ୍ଥା କରିପାରିଥାନ୍ତା। କିନ୍ତୁ ଏସବୁ ନକରି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ସହ ମୁକାବିଲା ମନୋଭାବ ଆଦୌ ଠିକ ନୁହେଁ।
ଏସବୁ ଜିଦ ପରିହାର କରି ପୂର୍ବ ବର୍ଷ ଭଳି ସ୍ୱଚ୍ଛତାର ସହ ବିଶାଳ ହୃଦୟ ନେଇ ଗରିବ ବ୍ୟବସାୟୀଙ୍କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମହୋଦୟ ପ୍ଲଟ ଆବଣ୍ଟନ କରନ୍ତୁ ବୋଲି ଭାଜପା ନେତା ଦାବି କରିଥିଲେ। ଏଥିରେ କଟକ ଭାଜପା ପ୍ରଭାରୀ ପ୍ରତିଭା ଶତପଥୀ, ବିଶ୍ୱରଂଜନ ମିଶ୍ର, କର୍ପୋରେଟର ଲକ୍ଷ୍ମୀଧର ବେହେରା ଓ ଦୀପକ ଦାସ, ଭାଗିରଥି ଦଳେଇ, ଦେବାଶିଷ ରାୟ, ଅକ୍ଷୟ ଆଚାର୍ଯ୍ୟ, ମହମ୍ମଦ ସବିର, ରତନ ମହାନ୍ତି, ନମିତା ମିଶ୍ର, ଅମିତ ମିତ୍ର, ସତ୍ୟବ୍ରତ ମିଶ୍ର, ସୁବାଷ ମହାନ୍ତି, ଜୟକୃଷ୍ଣ ସ୍ୱାଇଁ, ସତ୍ୟ ଦାସ, ଅମ୍ରିତ ଆଚାର୍ଯ୍ୟ, ସୁଧୀର ଶତପଥି, ଅନୁପମ ଦାସ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ।