ହିମାଚଳ ପ୍ରଦେଶ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶର ସୋଲନରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସୋଲନର ଠୋଡୋ ମଇଦାନରେ ପରିବର୍ତ୍ତନ ପ୍ରତିଜ୍ଞା ରାଲିକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି ଯେ, ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କଲେ ପ୍ରଥମ କ୍ୟାବିନେଟ ବୈଠକରେ ୨ଟି ନିଷ୍ପତ୍ତି ନିଆଯିବ ବୋଲି ମୁଁ ଗ୍ୟାରେଣ୍ଟି ଦେଉଛି । ପ୍ରଥମତଃ ୧ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ ଏବଂ ଦ୍ୱିତୀୟରେ ପୁରୁଣା ପେନସନ ଯୋଜନାକୁ ଲାଗୁ କରାଯିବ ।
ପ୍ରିୟଙ୍କା ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ସେମାନେ ପୁରୁଣା ପେନସନ ଯୋଜନାକୁ ପୁନର୍ବାର ଆଣିବାକୁ ଚାହୁଁନାହାନ୍ତି କାରଣ ବଡ଼ ବ୍ୟବସାୟୀଙ୍କ ଋଣ ଛାଡ଼ କରିବାରେ ବ୍ୟସ୍ତ ଅଛନ୍ତି । ଆପଣ ନିଜ ଭବିଷ୍ୟତ କଥା ଚିନ୍ତା କରନ୍ତୁ । ସେମାନଙ୍କ ପାଖରେ ଯୁବ, କର୍ମଚାରୀ ଓ ମହିଳାଙ୍କ ପାଇଁ କିଛି ବି ନାହିଁ । ଗତ ୫ ବର୍ଷ ହେବ ରାଜ୍ୟରେ ୬୦ ହଜାର ସରକାରୀ ପଦ ଖାଲି ପଡ଼ିଛି । କିନ୍ତୁ ଯୁବବର୍ଗଙ୍କୁ ଚାକିରି ଦିଆଯାଉ ନାହିଁ ।