ବାଲିଗୁଡ଼ା,ଏନ୍ଏନ୍ଏସ୍: ମଦ ରନ୍ଧା ବନ୍ଦ କରିବା ପାଇଁ କହିବାରୁ ସ୍ତ୍ରୀକୁ ଜୀବନରୁ ମାରି ସ୍ୱାମୀ ଜଙ୍ଗଲରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ବୁଡ଼ାନପିପାଲି ଗ୍ରାମରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ପ୍ରକାଶ ପ୍ରଧାନଙ୍କୁ କେର୍କେବାଡ଼ି ଗ୍ରାମର ସନାତନ ପ୍ରଧାନଙ୍କ ଭଉଣୀ ସୁମିତ୍ରା ପ୍ରଧାନ ୭ବର୍ଷ ତଳେ ବିବାହ କରିଥିଲେ । ବିବାହ ପରଠାରୁ ପ୍ରକାଶ ମଦ୍ୟପାନ କରି ସୁମିତ୍ରାଙ୍କୁ ମାଡ଼ ମାରିବା ସହ ଅତ୍ୟାଚାର କରୁଥିଲେ । ଏପରିକି ପ୍ରକାଶଙ୍କ ମଦ ରାନ୍ଧିବାକୁ ମଧ୍ୟ ସ୍ତ୍ରୀ ସୁମିତ୍ରା ଲଗାତାର ଭାବେ ବିରୋଧ କରୁଥିଲେ । ଗତ ୩୦ ତାରିଖରେ ପ୍ରକାଶ ମଦ ରାନ୍ଧୁଥିବା ସମୟରେ ସୁମିତ୍ରା ଯାଇ ଭାଟିକୁ ଭାଙ୍ଗି ଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାସହ ସୁମିତ୍ରାକୁ ଜୀବନରୁ ମାରିଦେବାକୁ ପ୍ରକାଶ ଧମକ ଦେଇଥିଲେ । ଏହା ପରଠୁ ସୁମିତ୍ରା ନିଖୋଜ ରହିଥିବା ଭାଇ ସନାତନ ସନାତନ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଇତିମଧ୍ୟରେ ସୁମିତ୍ରାଙ୍କ ପରିବାର ସମେତ ଗାଁ ଲୋକ ବୁଡ଼ାନପିପାଲି ଜଙ୍ଗଲରୁ ସୁମିତ୍ରାଙ୍କ ଗଳିତ ମୃତଦେହ ଦେଖି ଥାନାଧିକାରୀ କୌଶିକ ମାଝୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଥାନାଧିକାରୀ କୌଶିକ ମାଝୀ, ଏସଆଇ ଜିତେନ୍ଦ୍ର ବେହେରା ଓ ଏଏସଆଇ ସୁବାସ ଚନ୍ଦ୍ର ବାଏକଙ୍କ ସହ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛନ୍ତି । ଅନ୍ୟପଟେ ସ୍ୱାମୀ ପ୍ରକାଶ ସ୍ତ୍ରୀ ସୁମିତ୍ରାଙ୍କୁ ଜୀବନରୁ ମାରି ଘର ପଛପଟ ଜଙ୍ଗଲରେ ଫୋପାଡ଼ି ଦେଇଥିବା ସୁମିତ୍ରାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ଦାରିଙ୍ଗବାଡ଼ି ପୁଲିସ ତଦନ୍ତ ଅବ୍ୟାହତ ରଖିଥିବା ପ୍ରକାଶ କରିଛି ।