ଅବକାରୀ ବିଭାଗ ଚଢ଼ଉରେ ବିପୁଳ ପରିମାଣର ଦେଶୀ ମଦ ଜବତ, ୪ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ଏସପିଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ଅଧିକାରୀ ସତ୍ୟ ନାରାୟଣ ଦାସ ଆଜି ପେଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ତମିଆ ଓ ମୁନ୍ଦଳସର ୨ଟି ଗାଁରେ ଚଢ଼ଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଥିଲେ । ଉଭୟ ଗାଁର ୪ଜଣଙ୍କ ନିକଟରୁ ର୍ମୋଟ ୧୧୫ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୪ଜଣଙ୍କୁ ପାଟଣାଗଡ଼ ଅବକାରୀ ବିଭାଗର କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚୁରା କରାଯାଇଥିବା ଜଣାପଡ଼ିଛି । ଉକ୍ତ ୪ଜଣଙ୍କ ମଧ୍ୟରୁ ଜଣେ ବାବା ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି । ଜବତ ହୋଇଥିବା ଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସ କହିଛନ୍ତି । ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ଗିରଫ ହୋଇଥିବା ୪ଜଣଙ୍କୁ ଆଜି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।