ସରକାରୀ ଗୋଚର ଜମିରେ ପାର୍କ ନିର୍ମାଣକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସାହି ବାସିନ୍ଦାଙ୍କ ଦ୍ୱାରା ସଂରକ୍ଷିତ ଗୋଚର ଜମି ଉପରେ ପୌର ପରିଷଦ ପକ୍ଷରୁ ମିନି ପାର୍କ ନିର୍ମାଣକୁ ବିରୋଧ କରି ସାହି ବାସିନ୍ଦାଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାପୂର୍ବରୁ ପାର୍କ ନିର୍ମାଣକୁ ବିରୋଧ କରି ଏକ ଦାବିପତ୍ର ପୌର ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସାହି ବାସିନ୍ଦାମାନେ ପ୍ରଦାନ କରିଥିଲେ । ସାହି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଖପର ସାହି ୟୁନିଟ-୩ସ୍ଥିତ ଏକ ସରକାରୀ ଗୋଚର ଜମି ଖାତା ନଂ ୩୭୮, ପ୍ଲଟ ନଂ ୯୪ର ୩ ଏକର ୨୦ ଡିସିମିଲ ଓ ପ୍ଲଟ ନଂ ୭୪ର ୬ ଏକର ୭ ଡିସିମିଲ ଜାଗାକୁ ସାହି ବାସିନ୍ଦା ନିଜସ୍ୱ ଶ୍ରମଦାନ କରି ପଶୁ ସମ୍ପଦ ଚାରଣ ଭୂମି ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିଲେ । ହେଲେ ସାହି ବାସିନ୍ଦାଙ୍କ ଅଗୋଚରରେ ସେଠାରେ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେମାନେ ଏହାର ପ୍ରତିବାଦ କରିଥିଲେ ମଧ୍ୟ ପୌର ପରିଷଦ କର୍ଣ୍ଣପାତ ନକରି ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଗୋଚର ଜମିରେ ନିର୍ମାଣଧୀନ ପାର୍କ ନିର୍ମାଣକୁ ତୁରନ୍ତ ବନ୍ଦ ଦାବିରେ ଶତାଧିକ ସାହି ବାସିନ୍ଦା ପୂର୍ବାହ୍ନରେ ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳ, ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ତହସିଲ କାର୍ଯ୍ୟାଳୟରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।