ପ୍ରେମରୁ ହତ୍ୟା: ଅପହରଣର ୩ଦିନ ପରେ କୋଇଲା ବୋଝେଇ ଟ୍ରେନରୁ ମୃତଦେହ ଉଦ୍ଧାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଅପହରର ୩ ଦିନ ପରେ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୬ ନମ୍ବର ୱାର୍ଡ ହାତୀଶାଳ ସାହିର ଶ୍ରୀନିବାସ ରାଓଙ୍କରାଉରକେଲାରେ ଅପହରଣ କରାଯିବାର ୩ଦିନ ପରେ ଆଜି ତାଙ୍କ ମୃତଦେହ ଛତିଶଗଡ଼ ରାୟପୁରରୁ ଏକ କୋଇଲା ବୋଝେଇ ଟ୍ରେନର ୱାଗନରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପ୍ରେମିକାଙ୍କ ପିତାଙ୍କ ସମେତ ୪ଜଣଙ୍କ ନାମରେ ଅପହରଣ ମାମଲା ରୁଜୁ କରାଯାଇଥିବାବେଳେ ଜଣଙ୍କୁ ପ୍ଲାଣ୍ଟ ସାଇଟ ଥାନା ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ହାତୀଶାଳ ସାହିର ୧୯ ବର୍ଷୀୟ ଯୁବକ ଶ୍ରୀନିବାସ ଅସିନୁ ରାଉରକେଲାର ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିଲେ । ଆଉ ସେଠାରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ବାବୁ ଅରଫ ବିନୋଦ ସିଂଙ୍କ ୧୫ ବର୍ଷୀୟା ନାବାଳିକା ଝିଅ ସହ ଶ୍ରୀନାବସଙ୍କର ପ୍ରେମ ସମ୍ପର୍କ ରହିଥିଲା । ଏହି କ୍ରମରେ ଶ୍ରୀନିବାସ ପ୍ରେମିକାକୁ ଏକ ମୋବାଇଲ ଫୋନ ଉପହାର ଦେଇଥିବାବେଳେ ଏହା ନାବାଳିକାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ଗତ ୨୪ ତାରିଖ ରାତିରେ ବାବୁ ଓ ତାଙ୍କ ଅନ୍ୟ ସହଯୋଗୀମାନେ ଶ୍ରୀନିବାସକୁ ତାଙ୍କ ଭଡ଼ା ଘରୁ ଉଠାଇ ନେଇଥିଲେ । ପାଖ ପଡ଼ିଶାଙ୍କଠାରୁ ଖବର ପାଇ ପରିବାର ଲୋକେ ପରଦିନ ରାଉରକେଲାରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶ୍ରୀନିବାସଙ୍କ କୌଣସି ସନ୍ଧାନ ପାଇନଥିଲେ । ସେଥିପାଇଁ ୨୬ ତାରିଖରେ ପ୍ଲାଣ୍ଟ ସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ବାବୁ, ଅଜୟ ସାହା, ଚନ୍ଦନ ସିଂ ଓ ଶିବା ସୋନିଙ୍କ ସମେତ ଅନେକଙ୍କ ନାମରେ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶିବାକୁ ଅଟକ ରଖି ପଚରାଉଚୁରା କରୁଥିଲା । ଆଜି ଶ୍ରୀନିବାସଙ୍କ ମୃତଦେହ ଛତିଶଗଡ଼ ରାୟପୁରରୁ ଏକ କୋଇଲା ବୋଝେଇ ଟ୍ରେନ ୱାଗନରୁ ଉଦ୍ଧାର କରିଥିବା ପରିବାର ଲୋକ କହିଛନ୍ତି । ଏଥିସହ ରୋଜଗାରିଆ ପୁଅକୁ ହରାଇଥିବା ପରିବାରବର୍ଗ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର ଦଣ୍ଡ ପାଇଁ ଦାବୀ କରିଛନ୍ତି ।