ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର ବହୁ ପୁରୁଣା କଲେଜ୍ ୫୨ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ଗୋଲଡେନ ଜୁବୁଲି ପାଳନ କରିବାକୁ ଯାଉଛି।୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲେଜ ପ୍ରତି ସରକାରି ଅବହେଳାର ସୀମା ନାହିଁ। କେବଳ ଅନୁଦାନ ଦେଇ ଚୁପ ରହୁଛନ୍ତି ସରକାର। ଏତେସବୁ ଅବହେଳା ଭିତରେ ସବୁଠାରୁ ବଡ ଅବହେଳା ସାମ୍ନାକୁ ଆସିଛି। ୫୨ବର୍ଷର କଲେଜରେ ନା ଖୋଲୁଛି ପିଜି ପାଠ୍ୟକ୍ରମ ନା ହେଉଛି ଅଟନୋମସ। ଏଣେ ରାଜ୍ୟର ବହୁ କନିଷ୍ଠ କଲେଜରେ ପିଜି ଖୋଲିଲାଣି, ଅଟନୋମସ ମଧ୍ୟ ହେଲେଣି।
ପିଜି ପାଠ୍ୟକ୍ରମ ପ୍ରସଙ୍ଗରେ ବାରମ୍ବାର ଉପେକ୍ଷିତ ହୋଇ ଆସୁଛି। ୨୦୧୭ ମସିହାରୁ ପିଜି ପାଠ୍ୟକ୍ରମ ପାଇଁ ୭୫ ହଜାର ଟଙ୍କା ଦାଖଲ ହୋଇ ସାରିଛି। ୨୦୨୧ରେ ବ୍ରହ୍ମପୁର ୟୁନିଭରସିଟିର ଦୁଇ ଜଣ ବାଣିଜ୍ୟ ଓ ଇଂରାଜୀ ପ୍ରଫେସର ଆସି କ୍ଷେତ୍ର ପରିଦର୍ଶନ କରି ଯାଇଛନ୍ତି। ଇତି ମଧ୍ୟରେ କ୍ଷେତ୍ର ପରିଦର୍ଶନକୁ ୩ ବର୍ଷ ବିତିବାକୁ ବସିଲାଣି। ୨୦୦୬ ରେ ମଧ୍ୟ ନାକ୍ ଟିମ ଦ୍ୱାରା ମାନ୍ୟତା ହାସଲ କରିଛି। ହେଲେ ଦୁର୍ଭାଗ୍ୟ ଯେ ଏହାଠାରୁ କନିଷ୍ଠ କଲେଜ ଗୁଡିକରେ ପିଜି ପାଠ୍ୟକ୍ରମ ଖୋଲୁଥିବା ବେଳେ ନବରଙ୍ଗପୁର କଲେଜକୁ ଉପେକ୍ଷା କରାଯାଉଛି। ଏ ନେଇ ଜିଲ୍ଲା ନେତୃତ୍ୱ କାହିଁକି ଚୁପ ରହୁଛନ୍ତି ?
ନବରଙ୍ଗପୁର କଲେଜକୁ ବାରମ୍ବାର ଉପେକ୍ଷା ଜିଲ୍ଲାବାସୀ ତଥା ବୁଦ୍ଧିଜୀବି ମହଲକୁ ବିଚଳିତ କରିଛି। ଉପାନ୍ତ ଅଞ୍ଚଳର ଶିକ୍ଷା ଭଳି ମୌଳିକ ଅଧିକାର ପ୍ରସଙ୍ଗରେ ଯଦି ସ୍ଥିତି ବଦଳିବ ନାହିଁ ତେବେ ସାଂସଦ ବିଧାୟକ ଏ ପ୍ରସଙ୍ଗରେ ଚୁପ୍ ରହିବାକୁ ଶ୍ରେୟ ମନେକରିବା ହିଁ ସାର ହେବ। ଏଥିରୁ ବୁଝିବାକୁ ପଡିବ ବିକାଶ ନାମରେ ଜିଲ୍ଲାବାସୀଙ୍କୁ ପ୍ରତାରଣା କରାଯାଉଛି।
ସର୍ବଭାରତୀୟ ସ୍ତରରେ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଜାତୀୟ ଯୁବ ପୁରସ୍କାର ବିଜେତା ତଥା ଯୁଏନ୍ ଯୁବ ଅଧିକାରୀ- ମହେନ୍ଦ୍ରଗଡ଼, ହରିୟାଣାର ମହେନ୍ଦ୍ର ନାୟକ କହିଛନ୍ତି ନୀତି ଆୟୋଗ ପ୍ରସ୍ତାବିତ ଆକାଂକ୍ଷୀ ଜିଲ୍ଲlରେ ପ୍ରଶାସନିକ ଅବହେଳା, ଉଚ୍ଚ ଅଧିକାରୀଙ୍କ ଅଣଦେଖା ଏବଂ ସେହି କଲେଜରୁ ପାସ କରି ରାଜନୀତି କରୁଥିବା ବ୍ୟକ୍ତିତ୍ୱଙ୍କର ଦାବି ଉପସ୍ଥାପନାରେ ଇଚ୍ଛା ଶକ୍ତିର ଅଭାବ, ତତ୍ ସହିତ ସ୍ନାତକୋତ୍ତର ପାଠ୍ୟକ୍ରମ ଜିଲ୍ଲାର କୌଣସି କଲେଜରେ ନଥିବା ଯୋଗୁଁ ବହୁ ଯୁବକ ଉଚ୍ଚଶିକ୍ଷାରୁ ବଞ୍ଚିତ, ସ୍ନାତକୋତ୍ତର ପାଇଁ ଆଗ୍ରହୀ ଯୁବସମାଜ ଅନ୍ୟ ଜିଲ୍ଲା ଓ ରାଜ୍ୟ ଉପରେ ନିର୍ଭରଶୀଳ। ସରକାର ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲାର ପୁରୁଣା କଲେଜ ଗୁଡିକୁ ସରକାରୀ ମାନ୍ୟତା ଦେଇ ଉଚ୍ଚଶିକ୍ଷାର ଉନ୍ନତି ଦିଗରେ ଧ୍ୟାନ ଦେଲେ ଆକାଂକ୍ଷl ଜିଲ୍ଲାର ଲକ୍ଷ୍ୟ ପୂରଣ ହେବା ସହ ସର୍ବାଙ୍ଗୀନ ବିକାଶ ହୋଇ ପାରିବ ବୋଲି ଶ୍ରୀ ନାୟକ କହିଛନ୍ତି।
ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର କହିଛନ୍ତି କଲେଜ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ନିର୍ବାଚିତ ଜନ ପ୍ରତିନିଧି ମାନେ ଏଥି ପାଇଁ ଚୁପ୍ ନରହି ସରକାରଙ୍କ ନିକଟରେ ନ୍ୟାର୍ଯ୍ୟ ଦାବି ଉପସ୍ଥାପନା କରିବାକୁ ହେବ। ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସଂସ୍ଥା ଗୁଡ଼ିକ ସରକାରୀ କଲେଜ ଦାବି ନେଇ ଆନ୍ଦୋଳନ, ଅନଶନ କରିଛନ୍ତି। କିନ୍ତୁ ଆମ ପଛୁଆ ଜିଲ୍ଲା ର ସ୍ୱର ପହଞ୍ଚି ପାରୁନାହିଁ ସରକାର ଙ୍କ ନିକଟରେ।ମହାବିଦ୍ୟାଳୟରେ ପି.ଜି. ଶିକ୍ଷା ନଥିବା ଯୋଗୁଁ ଆର୍ଥିକ ଦିଗରେ ପଛୁଆ ଜିଲ୍ଲାର ଜନସାଧାରଣ ଓ ଶିକ୍ଷାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚଳିତ ଡିସେମ୍ବର ମାସରେ ମହାବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ମହାବିଦ୍ୟାଳୟକୁ ତୁରନ୍ତ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବି କରୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି।
ଅର୍ଥନୀତିରେ ପିଜି କରିଥିବା ପୁରାତନ ଛାତ୍ର ରାମ ଚନ୍ଦ୍ର ଦଳେଇ କୁହନ୍ତି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସହିତ କଲେଜ ପ୍ରଶାସନ ଯୋଗ ସୂତ୍ର ରକ୍ଷା କରି ଏଦିଗରେ କାର୍ଯ୍ୟ କରିବା ସହ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧି ମାନେ ଏ ଦିଗରେ ଯଥେଷ୍ଟ ଗୁରୁତ୍ବ ଦେଲେ ପିଜି ପାଠ୍ୟକ୍ରମ ଖୋଲିପାରନ୍ତା ବୋଲି ଶ୍ରୀ ଦଳେଇ କହିଛନ୍ତି।
ପୁରାତନ ଛାତ୍ର ତଥା ସେହି କଲେଜର ଅଧ୍ୟାପକ ବ୍ରିଜିଲାଲ ଗଣ୍ଡ କହିଛନ୍ତି ଜିଲ୍ଲାରେ ପିଜି ପାଠ୍ୟକ୍ରମ ନଥିବାରୁ ବହୁ ଅଭାବୀ ମେଧାବୀ ଛାତ୍ରଛାତ୍ରୀ ସ୍ନାତ୍ତକୋତ୍ତର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରାକ୍ତନ ପ୍ରଫେସର ଡଃ ବିଜୟ କୁମାର ମିଶ୍ର କୁହନ୍ତି ନବରଙ୍ଗପୁର ଜିଲ୍ଲାରେ ଅନୁସୂଚିତ ଜନଜାତିର ଶତକଡା ୫୫ ଭାଗ ଓ ଅନୁସୂଚିତ ଜାତିର ଶତକଡା ୧୫ ଭାଗ ଲୋକେ ବାସକରନ୍ତି। ସରକାରୀ କିମ୍ବା ପିଜି ପାଠ୍ୟକ୍ରମ କି ଅଟୋନୋମସ ହୋଇଥିଲେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ କମ୍ ପଇସାରେ ସ୍ନାତକୋତ୍ତର ଶିକ୍ଷାଲାଭ କରିପାରିଥାନ୍ତେ। ଏହି କଲେଜର ଛାତ୍ରଛାତ୍ରୀ ମାନେ ନାସାରେ ବୈଜ୍ଞାନିକ ହେବା ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି ବୋଲି ଶ୍ରୀ ଗଣ୍ଡ କହିଛନ୍ତି।
ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ବାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ୪ ବର୍ଷ ପୂର୍ବେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତା ଉପରେ କୌଣସି ରିଭିୟୁ ହୋଇପାରି ନାହିଁ। ପ୍ରାଥମିକତା ଭିତ୍ତିରେ ନାକ ଠାରୁ ଆଉଥରେ ତଦନ୍ତ କରାଇ ସାର୍ଟିଫିକେଟ ଆଣି ଗ୍ରେଡ୍ ପାଇଁ ଆବେଦନ କରାଯିବ ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି।