ବିଜେଡିର କର୍ମୀ ସମ୍ମିଳନୀ: ପଞ୍ଚାୟତ ନିର୍ବାଚନ ଭୋଟ ହ୍ରାସ ନେଇ ଚିନ୍ତାରେ ମନ୍ତ୍ରୀ ଟୁକୁନି

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବେଳଗାଁ ଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଳକୁ ମଜଭୁତ କରିବା ପାଇଁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବିଜେଡି ବରିଷ୍ଠ ନେତା ସମେତ କିଛି କର୍ମୀମାନେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ। ତେବେ ଏନେଇ ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ରଖିଛନ୍ତି। ବୁଦ୍ଧିଜୀବୀଙ୍କ ମତ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗାଁ’ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ନାହିଁ। ଲୋକେ ସ୍ଥାନୀୟ ନଦୀ କୂଳରୁ ମଧ୍ୟ ପାଣି ସଂଗ୍ରହ କରି ପାନ କରୁଛନ୍ତି। ପ୍ରକୃତ ହିତାଧୀକାରୀ ଲୋକଙ୍କୁ ପକ୍କା ଘର ଯୋଜନାରେ ସାମିଲ କରାଯାଇ ନାହିଁ ଫଳରେ ସେମାନେ ଭଙ୍ଗା ଦଦରାରେ ଘରେ ଆଶ୍ରୟ ନେଇଛନ୍ତି।

କିଛି ମାସ ତଳେ ବିଜେଡିର ବରିଷ୍ଠ ନେତା ପ୍ରମୋଦ ପଧାନ ମଧ୍ୟ ଦଳ ଛାଡିଥିଲେ। ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ହାତେଇ ନଥିଲା। ଯାହାପାଇଁ ବିଜେଡିକୁ ଶକ୍ତ ଝଟକା ଲାଗିଛି। ସେଥିପାଇଁ ତୃଣମୂଳସ୍ତରରେ ବିଜେଡ଼ି ଦଳକୁ ମଜଭୁତ କରିବା ପାଇଁ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଲଗାତାର ୨୫ ବର୍ଷ ହେବ କଂଗ୍ରେସ ଦଳ ବ୍ଲକ ଅଧ୍ୟକ୍ଷ ପଦବୀରେ ରହିଆସିଛି।