ନୂଆ ଓଡିଆ ଚଳଚ୍ଚିତ୍ର ‘ତିତଲି’ର ଅଡିଓ ରିଲିଜ

ଭୁବନେଶ୍ବର,ଏନ୍ଏନ୍ଏସ୍: ପୂଜା ବଜାରକୁ ସରଗରମ କରିବାକୁ ଆସୁଛି ନୂଆ ଓଡିଆ ସିନେମା ‘ତିତଲି’ । ଆଜି ଏହାର ଅଡିଓ ରିଲିଜ ହୋଇଛି । ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକସନର ଏହା ପଞ୍ଚମ ଅବଦାନ ହୋଇଥିବା ବେଳେ ଏହି ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି । ପୂର୍ବରୁ ଏହି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ବ୍ୟାଡଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ସିନେମା ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ‘ତିତଲି’ ମଧ୍ୟ ଦମଦାର ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ତିତଲି’ରେ ରହିଛି ମୋଟ ୫ଟି ଗୀତ । ଯେଉଁଥିରେ ଦିପ୍ତୀରେଖା, ସବିଶେଷ, ଅନନ୍ୟା, ଗୌରବ, ଆଶୁତୋଷ, ପ୍ରଜ୍ଞା ଏବଂ ସମୀକ୍ଷା ପ୍ରମୁଖ କଣ୍ଠଦାନ କରିଛନ୍ତି । ବସନ୍ତରାଜ ସାମଲଙ୍କ ରଚିତ ଗୀତ ଗୁଡିକ ବେଶ ଚିତାକର୍ଷକ ହୋଇଛି । ବସନ୍ତରାଜ-ପ୍ରେମ୍ ଆନନ୍ଦ୍ ଯୋଡିରେ ପ୍ରସ୍ତୁତ ଗୀତଗୁଡିକ ସିନେମାକୁ ଆହୁରି ହୃଦୟଛୁଆଁ କରିଛି ।

ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ଏସ କେ ମୁରଲୀଧରନ । ଦେବିଦତ୍ତ ମହାନ୍ତି ‘ତିତଲି’ର କାହାଣୀ ଲେଖିଛନ୍ତି । ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଏହି ସିନେମାରେ ନଜର ଆସିଛନ୍ତି । ଭିନ୍ନ ସ୍ୱାଦର ପ୍ରେମ କାହାଣୀ ସହ ମୌଳିକ ଓଡିଆ କାହାଣୀ ଏଥିରେ ଦେଖିବାକୁ ମିଳିବ । ପ୍ରଣୟ ଜେଠୀ ସିନେମାର କ୍ରିଏଟିଭ ହେଡ ରହିଥିବା ବେଳେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ସିନେମାଟି ମୁକ୍ତିଲାଭ କରିବ ।