ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ୟୁଡିଆଇଡି ପରିଚୟ ପତ୍ର ପ୍ରଦାନ ନିମନ୍ତେ ୨ ଦିନିଆ ସ୍ୱତନ୍ତ୍ର ଶିବିର ଆଜି ଶୁଭାରମ୍ଭ ହୋଇଛି । ଏହି ଶିବିରକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ଓ ପୋରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚକ୍ଷୁ, ଭେଷଜ, ଶିଶୁ, ଗଳା-ନସା-କର୍ଣ୍ଣ, ଶଲ୍ୟ ଓ ସ୍ନାୟୁ ବିଭାଗ ଆଦିର ବିଶେଷଜ୍ଞ ଡାକ୍ତରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଭିନ୍ନକ୍ଷମ ନିଜ ନାମ ପଞ୍ଜିକରଣ କରି ନୂତନ ଭାବେ ପ୍ରଚଳିତ ସ୍ଥାୟୀ ୟୁଡିଆଇଡି ପରିଚୟ ପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧୀର କୁମାର ନଈ, ପୌରନିର୍ବାହୀ ଅଧିକାରୀ ବନମାଳୀ ସେଠୀ, ସିଇଓ ମୋନାଲିସା ପଣ୍ଡାଙ୍କ ସମେତ ସାମାଜିକ ସୁରକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।