ଭବାନୀପାଟଣାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ବଲାଙ୍ଗିରରୁ ଆରମ୍ଭ ହେଲା ବିରୋଧର ସ୍ୱର

ବଲାଙ୍ଗିର,ଏନ୍ଏନ୍ଏସ୍: ଓଡ଼ିଶାରେ ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦୧୫ରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବ ପରେ କେବିକେ ଅଞ୍ଚଳର ଜିଲ୍ଲାମାନଙ୍କରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବି ଆରମ୍ଭ ହୋଇଥିଲା । ବିଶେଷ କରି ବଲାଙ୍ଗିର ଜିଲ୍ଲାରେ ଦାବି ଜୋରଦାର ହୋଇଥିଲା । ତେବେ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି) ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବରେ ଭବାନୀପାଟଣାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁପାରିଶ କରାଯାଇଛି ।

ଏ ନେଇ ବଲାଙ୍ଗିରରୁ ବିରୋଧର ସ୍ୱର ଉଠିଛି। ବଲାଙ୍ଗିର ଅମଲା ଭବନଠାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ସୂଚନା କର୍ମୀ  ହେମନ୍ତ କୁମାର ପଣ୍ଡା, ସଂସ୍କୃତି ଗବେଷକ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର ଓ ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର ପ୍ରମୁଖ ପ୍ରସ୍ତାବକୁ ବିରୋଧ କରିଛନ୍ତି। ବଲାଙ୍ଗୀର ପ୍ରତି ସରକାର ଯଦି ବୈମାତୃକ ମନୋଭାବ ପୋଷଣ କରିବେ ତା ହେଲେ ଆଗାମୀ ଦିନରେ ଏ ନେଇ ଭୟାବହ ଆନ୍ଦୋଳନ କରାଯିବ ବୋଲି ଗୁରୁଶ୍ରୀ ଡା. ଘାସିରାମ ମିଶ୍ର ଓ ନୀଳମଣି ମିଶ୍ର କହିଛନ୍ତି ।

ଏଥି ସହିତ ବଲାଙ୍ଗିରରୁ ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ତଥା ବିଭିନ୍ନ ଅନୁଷ୍ଠାନ ହକ ପାଇଁ ଲଢ଼େଇ କରିବାକୁ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସମ୍ମିଳନୀରେ ଆହ୍ୱାନ କରାଯାଇଛି।