୦.୩୩%କୁ କମିଲା ପାଇକାରୀ ମୁଦ୍ରାସ୍ଫୀତି ହାର

ଶସ୍ତା ହେଲା ଖାଦ୍ୟପେୟ ସାମଗ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ହାର ଅଗଷ୍ଟରେ ୧.୦୮% ରହିଥିବାବେଳେ ସେପ୍ଟେମ୍ବର ମାସରେ ଏଥିରେ ବୃହତ୍ ପରିମାଣର ହ୍ରାସ ହୋଇଛି। ଏହି ହ୍ରାସ ପରେ ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ହାର ୦.୩୩% ରହିଛି ବୋଲି ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏ ସମ୍ବନ୍ଧରେ ପ୍ରକାଶ କରାଯାଇଛି।

ଗତବର୍ଷ ଏହି ମାସରେ ଅର୍ଥାତ୍ ୨୦୧୮ ମସିହା ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ହାର ୫.୨୨% ରହିଥିଲା। ବିଗତ ତିନିବର୍ଷର ଏହା ସର୍ବନିମ୍ନ ସ୍ତର ହୋଇଥିବାବେଳେ ୨୦୧୬ ମସିହା ଜୁନ୍ ପରେ ପ୍ରଥମଥର ପାଇଁ ମୁଦ୍ରାସ୍ଫୀତି ଏତେ ତଳକୁ ଖସିଆସିଛି ବୋଲି ରିପୋର୍ଟରେ ସୂଚିତ କରାଯାଇଛି। ସେହିପରି ଖାଦ୍ୟ ସାମଗ୍ରୀଗୁଡ଼ିକର ସୂଚକାଙ୍କରେ ଅଗଷ୍ଟ ମାସ ତୁଳନାରେ ୦.୪% ହ୍ରାସ ହୋଇଛି। ଫଳ ଓ ପନିପରିବା ଆଦି ମୂଲ୍ୟରେ ୩%, ବାଜରା ଓ ହରଡ଼ ମୂଲ୍ୟରେ ୨% ଏବଂ ମାଛ, ମାଂସ ଓ ଚା’ ମୂଲ୍ୟରେ ୧% ହ୍ରାସ ହୋଇଥିବାବେଳେ ମସଲା ମୂଲ୍ୟରେ ୪%, ପାନପତ୍ର, ମଟର ଆଦି ମୂଲ୍ୟରେ ୩%, ଅଣ୍ଡା ମୂଲ୍ୟରେ ୨%, ରାଜମା, ଗହମ, ଯଅ, ମୁଗ, କୁକୁଡ଼ା ମାଂସ, ମକା ଆଦି ପ୍ରତ୍ୟେକ ଉତ୍ପାଦ ମୂଲ୍ୟରେ ୧% ଲେଖାଏଁ ବୃଦ୍ଧି ହୋଇଛି। ପାଇକାରୀ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ସରକାରଙ୍କ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି।

ମାତ୍ର ଆଲୋଚ୍ୟ ମାସରେ ଲଗାଣ ମୌସୁମୀ ବର୍ଷା କାରଣରୁ ପିଆଜ ଦରରେ ବୃଦ୍ଧି ହୋଇଥିବାରୁ ସେପ୍ଟେମ୍ବରରେ ପିଆଜର ପାଇକାରୀ ମୁଦ୍ରାସ୍ଫୀତି ହାର ୩୩.୦୧%ରୁ ବୃଦ୍ଧି ପାଇ ୧୨୨.୪୦%ରେ ପହଞ୍ଚିଛି। ଡାଲି ମୂଲ୍ୟରେ ସାମାନ୍ୟ ବୃଦ୍ଧି ସହିତ ଡାଲିର ପାଇକାରୀ ମୁଦ୍ରାସ୍ଫୀତି ହାର ୧୬.୩୬%ରୁ ବୃଦ୍ଧି ପାଇ ୧୭.୯୪%ରେ ପହଞ୍ଚିଛି। ମାନୁଫାକ୍ଚର୍ଡ୍ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି ହାର ୦%ରୁ ହ୍ରାସ ପାଇ -୦.୪୨% ଏବଂ ଇନ୍ଧନ ଓ ଉର୍ଜାର ପାଇକାରୀ ମୁଦ୍ରାସ୍ଫୀତି ହାର -୪%ରୁ ହ୍ରାସ ପାଇ -୭.୦୫%ରେ ପହଞ୍ଚିଛି। ଅଗଷ୍ଟରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ହାର ପ୍ରାୟ ୨୫ ମାସର ନିମ୍ନ ସ୍ତର ୧.୦୮% ରହିଥିଲା। ଜୁଲାଇ ତୁଳନାରେ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିବାବେଳେ ବର୍ଷେ ପୂର୍ବରୁ ଅର୍ଥାତ୍ ୨୦୧୮ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ହାର ୪.୬୨% ଥିଲା।