ଭେଡେନ୍ ଗଣଦୁଷ୍କର୍ମ ମାମଲାକୁ ନେଇ କଂଗ୍ରେସର ବିଜେଡିକୁ ଆକ୍ଷେପ

ଭୁବନେଶ୍ୱର,ଏନ୍ଏନ୍ଏସ୍ବରଗଡ ଜିଲ୍ଲା ଭେଡେନ୍ଥାନା ଅର୍ନ୍ତଗତ ରୁପାପାଲି ଗାଁରେ ମଇ ୨୦୧୬ରେ ତିନି ଜଣ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣାକୁ ରାଜ୍ୟ ସରକାର ଜାଣିଶୁଣି ଚପାଇ ଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି। ପ୍ରକାଶଯୋଗ୍ୟ ଗତ ୨୩ ସେପ୍ଟେମ୍ବର ୨୦୧୯ରେ ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ପରେ ଚଳିତ ମାସ ୩ ତାରିଖରେ ଭେଡେନ ପୁଲିସ  ବାଧ୍ୟ ହୋଇ ଦୁଇଜଣ ପୁଲିସ ଅଧିକାରୀଙ୍କ ସମେତ ମୋଟ୍‌ ୮ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

୦୧୬ ମସିହା ମଇ ୨୦ରେ ବରଗଡ଼ ରୁପାପାଲି ଗାଁର ସବର୍ଣ୍ଣ ଅସବର୍ଣ୍ଣ ଗଣ୍ଡଗୋଳ ଯୋଗୁଁ ୨୨ତାରିଖରେ ପୀଡ଼ିତାମାନଙ୍କ ସ୍ୱାମୀ ଓ ସମ୍ପର୍କୀୟଙ୍କୁ ଭେଡେନ ପୁଲିସ ଥାନାରେ ଅଟକ ରଖିଥିଲା ଏବଂ ୨୩ ତାରିଖ ଦିନ ଭେଡେନ ଥାନାର ୫ଜଣ ପୁଲିସ କର୍ମଚାରୀ ଆସି ତିନି ଜଣ ମହିଳାଙ୍କୁ ଆରେଷ୍ଟ ମେମୋରେ ଦସ୍ତଖତ କରିବା ପାଇଁ ଥାନା ଗାଡ଼ିରେ ବସାଇ ଥାନାକୁ ନେଉଥିବାବେଳେ ବାଟରେ ଦେଓଗାଁ ଜଙ୍ଗଲରେ ଗଣଦୁଷ୍କର୍ମ କରିବା ପରେ ଅପରାଧୀଙ୍କ ହାତକୁ ଟେକି ଦେଇଥିଲେ। ଅପରାଧୀମାନେ ଉକ୍ତ ମହିଳାଙ୍କୁ ୧୦ଦିନ ରଖି ଦୁଷ୍କର୍ମ କରିବା ପରେ ଅପରାଧୀମାନେ ନିଶାସକ୍ତ ଥିବା ଅବସ୍ଥାରେ ୩୩ ଜଣଙ୍କ ମଧ୍ୟରୁ ଜଣେ ମହିଳା ଖସି ପଳାଇ  ଆସିଥିଲେ। ତାଙ୍କର ମାନସିକ ଭାରସାମ୍ୟ ଠିକ୍ ହେବା ପରେ ସେ ପରିବାର ଆଗରେ ସବୁକଥା କହିଥିଲେ।

ଏନେଇ ପରିବାର ଲୋକେ ଘଟଣା ସମ୍ପର୍କରେ ଭେଡେନ ଥାନା, ଏସ୍ପି ବରଗଡ଼ ଓ ଗୃହ ସଚିବଙ୍କୁ ଅବଗତ କରାଇଥିଲେ। କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାନବାଧିକାର କମିସନଙ୍କ ପାଖରେ ଆବେଦନ କରିଥିଲେ। ସମସ୍ତ ଦସ୍ତାବିଜ୍‌କୁଦେଖିଲା ପରେ ରାଜ୍ୟ ମାନବାଧିକାର କମିସନ ଶେଷରେ ପୁଲିସର କାର୍ଯ୍ୟପନ୍ଥାକୁ ନିନ୍ଦା କରିବା ସହି ପୀଡିତାଙ୍କୁ ଦେଢ଼ଶୁର ଦେଇଥିବା ଅଭିଯୋଗକୁ ଏତଲା ଭାବେ ପଞ୍ଜୀକରଣ କରିବା ପାଇଁ ବରଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ କି ଗତ ୩ ଅକ୍ଟୋବର୨୦୧୯ରେ ଓଡ଼ିଶାରେ ଏକ ବିରଳ ଘଟଣା ଭାବରେ ୨ଜଣ ପୁଲିସ ଅଧିକାରୀଙ୍କ ସମେତ ୮ଜଣଙ୍କ ନାଁରେ ଭେଡେନ ଥାନାରେ ରୁଜୁ ହେବା ସହ ପୋଲିସ ଦ୍ୱାରା ଗଣଦୁଷ୍କର୍ମ ଭଳି ସଙ୍ଗୀନ ଦଫା ଲାଗାଯାଇଛି। ମାନବାଧିକାର କମିସନଙ୍କନିର୍ଦ୍ଦେଶ ପରେ ଆଜି ଏହି ଘଟଣାର ପର୍ଦ୍ଦାଫାସ୍‌ ହୋଇଛି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଥିଲେ ଯେ ଏହି  ଘଟଣାକୁ ୩ ବର୍ଷ କାଳ କ’ଣ ପାଇଁ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି ଏବଂ ବରଗଡ଼ ଏସପି ଚପେଇ ଥିଲେ, ଏହି ସମସ୍ତ ଅଧିକାରୀଙ୍କ ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖନ୍ତୁ। ଯଦି ରାଜ୍ୟ ସରକାର ଟାଇମ୍ ଏବଂ ଟ୍ରାନ୍‍ସପରେନ୍ସି କଥା କହୁଛନ୍ତି, ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ସମ୍ପୃକ୍ତ ଏସ୍‌ପି ଓ ପୁଲିସ ଡିଜିଙ୍କ ବିରୋଧରେ ଦୃଢ଼଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ଜିନେଶ ଦାସ, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।