ମରୁଡ଼ି ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡସ୍ଥିତ ଖପ୍ରାଖୋଲ ପଞ୍ଚାୟତର ଚାଷୀମାନେ ବିଗତ ୨୦୨୧ ବର୍ଷରେ ହୋଇଥିବା ମରୁଡ଼ି ସହାୟତା ରାଶି ପାଇବାରୁ ବଂଚିତ ହୋଇଛନ୍ତି । ଏଥିଲାଗି ବାରମ୍ବାର ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଦାବୀ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଇନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଖପ୍ରାଖୋଲ ଅଞ୍ଚଳର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପାଟଣାଗଡ଼ ଗସ୍ତରେ ଆସିଥିବା ସମୟରେ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ସେମାନଙ୍କ ଦାବୀ ଆସନ୍ତା ୭ଦିନ ମଧ୍ୟରେ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ହରିବୋଲ ପୋଡ଼, ତାପସ ରଞ୍ଜନ ବେହେରା, ଗୁଣମଣି ଭୋଇ, ଛାୟାକାନ୍ତ ବାରିକ, ବିଜୟ ବରିହା, ସମ୍ପତ୍ତି ଭୋଇ, ଦୟାସାଗର ଭୋଇ, ଗୋପାଳ ସାହୁ, ଜନ୍ମଜୟ ଭୋଇ, ସନ୍ତୋଷ ବାଗ ଓ ବିନାୟକ ବନଛୋର ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।