ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ବ୍ଲକ୍ ସ୍ଥିତ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମ୍ୟାଡ଼ାମଙ୍କ ମାଡ଼ ଘଟଣାରେ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପୀଡିତା ଛାତ୍ରୀ ଓ ଅଭିଭାବକ। ଏଥିସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ।
ଗତକାଲି ପ୍ରାର୍ଥନା ଶ୍ରେଣୀରେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମ୍ୟାଡ଼ାମ ବିନା କାରଣରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ଏକ ବାଉଁଶ ବାଡ଼ିରେ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ମାଡ଼ରେ ଏକାଧିକ ଛାତ୍ରୀ ଆହତ ହୋଇଥିବା ବେଳେ ସନ୍ଧ୍ୟାରେ ଛାତ୍ରୀଙ୍କ ପରିବାର ଲୋକେ ଆହତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରିଥିଲେ। ତିଳେଇବଣି ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ ଘଟଣା ନିତିଦିନିଆ ଘଟଣା ପାଲଟି ଥିବାବେଳେ ପ୍ରତିବାଦ କଲେ ସ୍କୁଲରୁ କାଢି ଦେବାର ଧମକ ଦେଉଥିବା ଅଭିଯୋଗ ହେଇଛି।
ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ରଙ୍କ ମତାମତ ନେବାରୁ ସେ ତାଙ୍କ ନିକଟରେ ଅଭିଯୋଗ ହୋଇଥିବା ସ୍ୱୀକାର କରିବା ସହ ବିଭାଗ ପକ୍ଷରୁ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରାଯିବା ସହ ପ୍ରମାଣ ମିଳିଲେ ଦୋଷୀ ବିରୋଧରେ ପୋକ୍ସ ଆକ୍ଟରେ ମାମଲା ରୁଜୁ ହେବ ବୋଲି ପ୍ରକାଶ କରିଛନ୍ତି।