ଯୁବତୀଙ୍କୁ ଗଳା କାଟି ହତ୍ୟା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତସ୍ଥିତ ସ୍ଥାନୀୟ କମରଲଗା ଲାଂଥ ନଦୀ କୂଳରୁ ପୁଲିସ ମୁଣ୍ଡବିହୀନ ଶବ ଉଦ୍ଧାର କରିଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳୁ ସ୍ଥାନୀୟ ଲୋକ ଗାଧେଇବା ପାଇଁ ଯାଇ ଥିବାବେଳେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ନଦୀ କୂଳରେ ପ୍ରବଳ ରକ୍ତ ଧାର ବୋହୁଥିବାରୁ ଏହା ଏକ ହତ୍ୟା ହୋଇଥିବା ସନ୍ଦେହ କରିଥିଲେ । ଏନେଇ ପୁଲିସକୁ ଖବର ଦେବା ପରେ ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ,ବଡ଼ମାଲ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ମାଝୀ, ଏସଆଇ ସଂଗୀତା ବେଙ୍କ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଟିଟିଲାଗଡ଼ ଥାନାଧିକାରୀ ରଞ୍ଜନ ବରିହା, ମୁରିବାହାଲ ଥାନାଧିକାରୀ ପହଞ୍ଚି ଯୁବତୀଙ୍କ ମୁଣ୍ଡ ବିହୀନ ଶବକୁ ନଦୀ ଭିତରୁ ଉଦ୍ଧାର କରିଥିଲେ । ପ୍ରାଥମିକ ତଦନ୍ତରୁ ଯୁବତୀଙ୍କ ବୟସ ପ୍ରାୟ ୨୦-୨୫ ବର୍ଷ ଭିତରେ ହେବ ବୋଲି ଜଣାପଡ଼ିଛି । ଯୁବତୀ ଜଣକ କଳା ରଙ୍ଗର ପେଣ୍ଟ ଓ ସାର୍ଟ ପିନ୍ଧିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଗଳାକାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । କିଏ ଓ କେଉଁ କାରଣରୁ ଏଭଳି ନିର୍ମମ ଭାବେ ଗଳା କାଟି ହତ୍ୟା କଲା ସେନେଇ ପୁଲିସ ଛାନଭିନ ଆରମ୍ଭ କରିଛି ।