ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ସଦର ମହକୁମାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆନ୍ତଃଜିଲ୍ଲା କିନ୍ନର ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଶତାଧିକ କିନ୍ନର ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସଭାପତି କାଜଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ଅଧ୍ୟକ୍ଷ ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ସରକାରଙ୍କ ଦ୍ୱାରା କିନ୍ନରଙ୍କ ପାଇଁ ପ୍ରଦତ୍ତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ କିନ୍ନର ସମାଜ ତରଫରୁ ଗୁରୁମା ରାଜେଶ୍ୱରୀଙ୍କ ଅନୁପସ୍ଥିତିରେ ଜୟପୁରର ସିଲୁ କିନ୍ନର ଯୋଗ ଦେଇଥିବାବେଳେ କଳାହାଣ୍ଡି ଜିଲ୍ଲା ତରଫରୁ ଗୁରୁମା ପାର୍ବତୀ କିନ୍ନର ମଞ୍ଚାସିନ ଥିଲେ । ଉକ୍ତ ସମ୍ମିଳନୀରେ କିନ୍ନରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି କିନ୍ନରଙ୍କ ପେଟପାଟଣା ପାଇଁ କୌଣସି ନିର୍ଦ୍ଦିଷ୍ଟ ରୋଜଗାର ପନ୍ଥା ନ ଥିବାରୁ ସଭାରେ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ରୋଜି, ବୁଲବୁଲ, ରାଣୀ ଶ୍ରୀୟା, ସିତୁ, ଲୋବଲି, ମେଘା ଓ ଦେବାସିଙ୍ଗ ପ୍ରମୁଖ କିନ୍ନର ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସମ୍ପାଦକ ଚୁମକୀ କିନ୍ନର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସହସମ୍ପାଦକ ପ୍ରୀତି ସମେତ ସୃତି, ଆଇସା,ତନୁଜା,ସମ୍ୟା, ଭୀମ, ଅର୍ଜୁନ ଓ ଅନିତା ପ୍ରମୁଖ କିନ୍ନର ସହଯୋଗ କରିଥିଲେ ।