ନବରଙ୍ଗପୁରରେ କ୍ରାନ୍ତି ଦିବସ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ନବରଙ୍ଗପୁର ଆରସିଡି ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦ, ନେହେରୁ ଯୁବ କେନ୍ଦ୍ର ଓ ପିପଏଣ୍ଟ ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ, ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ପରିଷଦର ଅଧ୍ୟକ୍ଷ ସିରଜୁଦ୍ଦିନ ଅହମ୍ମଦ, ମୁଖ୍ୟବକ୍ତା ଡା. ବିଜୟ ମିଶ୍ର ଓ ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ରକାଶିତ ଶିଶୁ ସୁରକ୍ଷା, ଜଳ ପରିମଳ ଓ କୋଭିଡ ପରିଚାଳନା ସମ୍ପର୍କିତ ପୁସ୍ତକକୁ ଅତିଥିମାନେ ପ୍ରଦର୍ଶନ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ପାଳିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଦେଶ ସ୍ୱାଧୀନତାରେ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ସମାଜସେବୀ ଜଗନ୍ନାଥ ମହାପାତ୍ର ସ୍ୱାଧୀନତା ଆନ୍ଦୋଳନରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କରେ ସୂଚନା ଦେବା ସହ ପାପଡ଼ାହାଣ୍ଡି ଗୁଳି କାଣ୍ଡ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜଗନ୍ନାଥ ମହାପାତ୍ର, ଜେମାମଣି ବିଷୋୟୀ, କାଦମ୍ବିନୀ ତ୍ରିପାଠୀ, ସିରାଜ ଅହମ୍ମଦ ଓ ସୋମନାଥ ବିଶୋଇଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଉଚ୍ଚ ବିଦ୍ୟାଳୟଠାରୁ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ବ୍ରିଟିଶ ଅମଳର ଜେଲ ଗୃହ ପର୍ଯ୍ୟନ୍ତ ଏକ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେଠାରେ ଜାତୀୟ ପତାକା ସ୍ଥାପନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସିରଜୁଦ୍ଦିନ ଅହମ୍ମଦ, ସମାଜସେବୀ ଅଭିଳାଷ ନାୟକ, ପ୍ରୋଜେକ୍ଟ ପୋଇଁଟର ସଭାପତି ସଂଗ୍ରାମ ଭାଇ, ସମାଜସେବୀ ସୁମିତ ପୂଜାରୀ, ଜଗନ୍ନାଥ ବାଘେ ଓ ଯୁବନେତା ପ୍ରଫୁଲ୍ଲ ପଣ୍ଡା ସମ୍ପୂର୍ଣ ସହଯୋଗ କରିଥିଲେ ।