ଇସ୍ରୋକୁ ବଡ ଝଟ୍‌କା, ଉତକ୍ଷେପଣ ପରେ ପ୍ରୟୋଗଯୋଗ୍ୟ ନୁହେଁ ସାଟେଲାଇଟ୍‌

ଶ୍ରୀହରିକୋଟା,ଏଜେନ୍ସି: ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ (ଇସ୍ରୋ) ଲାଗିଲା ଶକ୍ତ ଝଟକା । ଏବେ ପ୍ରୟୋଗ ପାଇଁ ଯୋଗ୍ୟହୀନ ହେଲା ୭୫୦ ଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଏସ୍‌ଏସ୍‌ଏଲ୍‌ଭି-ଡି୧/ଇଓଏସ୍‌-୦୨ କ୍ଷୁଦ୍ର ଉପଗ୍ରହ । ଏହି ସାଟେଲାଇଟଟି ପୂର୍ବ ୩ଟି ଟର୍ମିନାଲରେ ଏହା ଭଲ ପ୍ରଦର୍ଶନ କରିଥିବା ବେଳେ ଟର୍ମିନାଲର ଶେଷ ଭାଗରେ ଡାଟା ଲସ୍‌ର ଶିକାର ହୋଇଛି । ଫଳରେ ଏହା କୌଣସି ସୂଚନା ଦେବାକୁ ଅସମର୍ଥ ଥିବାବେଳେ ଏହାର କାରଣର ଖୋଜୁଛନ୍ତି ଇସ୍ରୋର ବୈଜ୍ଞାନିକ ।

ଏ ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, “ଏସ୍‌ଏସ୍‌ଏଲ୍‌ଭି-ଡି୧ ସାଟେଲାଇଟଗୁଡ଼ିକୁ ୩୫୬ କିମି ବୃତ୍ତାକାର କକ୍ଷ ବଦଳରେ ଅଣ୍ଡାକାର କକ୍ଷରେ ସ୍ଥାପିତ କରିଛି । ଯାହାଦ୍ବାରା ଏହି ଉପଗ୍ରହ ଗୁଡ଼ିକ ଏବେ କାମରେ ଆସିବ ନାହିଁ । ସେନ୍ସର ବିଫଳତା ଯୋଗୁଁ ଏପରି ଘଟିଛି । ଏବେ ଏହି ମିଶନର ସଫଳତା ଉପରେ ଅଧିକାରୀମାନେ କୌଣସି ସୂଚନା ଦେଇନାହାନ୍ତି । ବୈଜ୍ଞାନିକମାନେ ଏବେ ରକେଟ ଉପରେ ଗବେଷଣା ଜାରି ରଖିଛନ୍ତି । ମହାକାଶରେ ଉପଗ୍ରହ ଓ ଆଜାଦୀ ସେଟର ଯୋଜନା ଅନୁସାରେ ଏହା ଅଲଗା ହୋଇଥିବା ଦେଖିବାକୁ ମିଳିଛି ।”

ମହାକାଶରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଓ ଛାତ୍ରଙ୍କ ଦ୍ବାରା ବିକଶିତ ହୋଇଥିବା ଏକ ଉପଗ୍ରହ (ଏସ୍‌ଏସ୍‌ଏଲ୍‌ଭି-ଡି୧/ଇଓଏସ୍‌-୦୨)କୁ ସ୍ଥାପିତ କରିବା ଲାଗି ଏହି ମିଶନ ଆରମ୍ଭ ହୋଇଥିଲା । ଆଜି (ରବିବାର) ସକାଳେ ବାଦଲ ଭରା ଆକାଶରେ ଏହାକୁ ୯ଟା ୧୮ରେ ଉତକ୍ଷେପଣ କରାଯାଇଥିଲା । ଅଭିଯାନ ନିୟନ୍ତ୍ରଣ କେନ୍ଦ୍ରର ବୈଜ୍ଞାନକିମାନେ ଉଡାଣ ପରେ ତୁରନ୍ତ ଏହାର ଗତିପଥ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ସଠିକ ଭାବରେ ଆଗକୁ ବଢୁଥିବାବେଳେ ପରବର୍ତ୍ତୀ ସମୟରେ ଏହା ଡାଟା ଲସ୍‌ର ଶିକାର ହୋଇଥିବା ଅଧ୍ୟକ୍ଷ ଏସ. ସୋମନାଥ ସୂଚନା ଦେଇଛନ୍ତି ।

ଏନେଇ ସୋମନାଥ କହିଛନ୍ତି ଯେ, “ଉପଗ୍ରହ ଗୁଡ଼ିକ ଏହାର ସଠିକ ସ୍ଥାନରେ ସ୍ଥାପିତ ହେବା ବା ନ ହେବା ସମ୍ପର୍କରେ ଗବେଷଣା କରୁଛୁ । ଏଣୁ ଦୟାକରି ଅପେକ୍ଷା କରନ୍ତୁ । ଆମେ ଆପଣଙ୍କୁ ମିଶନ ସମ୍ପର୍କରେ ଶୀଘ୍ର ସମ୍ପୂର୍ଣ୍ଣ ତଥ୍ୟ ଦେବୁ ।” ଏଯାବତ୍‌ ମିଶନର ସଫଳତା ଉପରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ଇଓଏସ୍‌-୦୨ ସାଟେଲାଇଟ ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ ବୋଲି ଇସ୍ରୋ ସୂଚନା ଦେଇଥିଲା ।