ଗୁଜୁରାଟ ବିଧାନସଭା ନିର୍ବାଚନ: କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବ ଏଏପି

ଗାନ୍ଧୀନଗର,ଏଜେନ୍ସି: ପ୍ରଥମେ ଦିଲ୍ଲୀ ଓ ପରେ ପଞ୍ଜାବରେ କ୍ଷମତା ହାତେଇବାରେ ସଫଳ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ଏବେ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜୁରାଟରେ ଶକ୍ତି ପରୀକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ମାଗଣା ଯୋଜନା ପାଇଁ ବିରୋଧୀଙ୍କ ଦ୍ବାରା ସମାଲୋଚିତ ହେଉଥିବା ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ ଗୁଜୁରାଟ ନିର୍ବାଚନରେ ମଧ୍ୟ ସାମାନ ଫଣ୍ଡା ଆପଣାଇବା ଆରମ୍ଭ କରିଛନ୍ତି ।

ଗୁଜୁରାଟରେ ଏଏପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି । କେବଳ ସେତିକି ନୁହେଁ ବଂର ବେକାରୀ ଯୁବକଙ୍କୁ ମଧ୍ୟ ଭତ୍ତା ଦେବା ନେଇ ଆପ ପ୍ରତିଷ୍ଠାତା ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିଓ୍ବାଲ ଆଜି ଘୋଷଣା କରିଛନ୍ତି । ତେବେ ଚଳିତ ବର୍ଷ ଶେଷଭାଗରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ଠାରୁ ନିର୍ବାଚନୀ ରାଜନୀତିରେ ଉଷ୍ମତା ବଢିବାରେ ଲାଗିଲାଣି ।

ଗଣମାଧ୍ୟମକୁ ସୂଚନା ଦେଇ କେଜ୍ରିଓ୍ବାଲ କହିଛନ୍ତି,‘‘ ଯଦି ଏଏପି କ୍ଷମତାକୁ ଆସେ, ତେବେ ସରକାର ଗଠନ ହେବାର କିଛି ମାସ ମଧ୍ୟରେ ଏହି ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଆମେ ରାଜ୍ୟରେ ବିଜୁଳି ଦେୟମୁକ୍ତ କରିବୁ, ଏହା ସହ ରାଜ୍ୟରେ ରୋଜଗାର ସୃଷ୍ଟି କରିବା ପାଇଁ ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିବୁ । ଯୁବ ବେକାରୀଙ୍କୁ ଭତ୍ତା ମଧ୍ୟ ପ୍ରଦାନ କରିବାର ବ୍ୟବସ୍ଥା କରିବୁ । ଦିଲ୍ଲୀ ମଡେଲ ପରି ସରକାରୀ ବିଦ୍ୟାଳୟ ଓ ହସ୍ପିଟାଲ ଗୁଜୁରାଟର ଗ୍ରାମାଞ୍ଚଳରେ ମଧ୍ୟ ପ୍ରତିଷ୍ଠା କରିବୁ ।’’

କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, “ପଞ୍ଜାବରେ ତାଙ୍କ ଦଳର ସରକାର ଗଠନ ପରେ ରାଜ୍ୟରେ ପ୍ରାୟ ୨୫ ଲକ୍ଷ ପରିବାର ମୁକ୍ତ ବିଜୁଳି ସୁବିଧା ଦ୍ବାରା ଉପକୃତ ହେଉଛନ୍ତି । ସେହିପରି ଦିଲ୍ଲୀର ବସବାସ କରୁଥିବା ଆର୍ଥିକ ପଛୁଆ ଶ୍ରେଣୀର ପରିବାର ମଧ୍ୟ ଏହି ନିଷ୍ପତ୍ତିରେ ଲାଭବାନ ହେଉଛନ୍ତି । ଏଏପି ତାର ପ୍ରଥମ କ୍ଷମତା ଦିଲ୍ଲୀରୁ ଆରମ୍ଭ କରିଥିବା ବେଳେ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ଶାସନରେ ଥିବା କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ରାଜ୍ୟରେ କ୍ଷମତା ହାସଲ କରିବାରେ ସଫଳ ହୋଇଥିଲା । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପରେ ଆପ ତୃତୀୟ ଦଳ ଭାବେ ଦେଶରେ ଗୋଟିଏ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସରକାର ଚଳାଉଛି ।