କାଲି ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ରାତି ପାହିଲେ ଉପରାଷ୍ଟ୍ରପତି ମତଦାନ । ସଂସଦ ଭବନରେ ଶନିବାର ଦିନ ୧୦ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଏନ୍‌ଡିଏ ପକ୍ଷରୁ ଜଗଦୀପ ଧନକଡ଼ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ପ୍ରାର୍ଥିନୀ ହୋଇଛନ୍ତି ମାର୍ଗାରେଟ୍‌ ଆଲ୍‌ଭା ।

ସମସ୍ତ ଗଣିତ ଓ ଆକଳନ ମୁତାବକ ଏନ୍‌ଡିଏ ପ୍ରାର୍ଥୀ ଜଗଦୀପ ଧନକଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବାଜିମାତ୍‌ କରିବେ ବୋଲି ଆଲୋଚନା ହେଉଛି । ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଗୃହର ମୋଟ ୭୮୮ ଜଣ ସଦସ୍ୟ ମତଦାନ କରିବେ । ଲୋକସଭାର ୫୪୩ ଜଣ ସଦସ୍ୟ ଓ ରାଜ୍ୟସଭାର ୨୩୩ ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ତେବେ ଏହି ନିର୍ବାଚନରେ ରାଜ୍ୟର କୌଣସି ବିଧାୟକ ମତଦାନ କରିବେ ନାହିଁ ।

ଅଗଷ୍ଟ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ନୂଆ ଉପରାଷ୍ଟ୍ରପତି ଦାୟିତ୍ବ ନେବେ । ଅଗଷ୍ଟ ୬ ତାରିଖରେ ଉପନିର୍ବାଚନ ପରେ ସେହିଦିନ ଭୋଟ ଗଣତି ହୋଇ ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହେବେ । ଏହି ନିର୍ବାଚନକୁ ବୟକଟ୍‌ କରିଛି ଟିଏମ୍‌ସି । ରାଷ୍ଟ୍ରପତି ନିର୍ବାଚନରେ ଉପଯୁକ୍ତ ସମର୍ଥନ ନମିଳିବାରୁ ତୃଣମୂଳ କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।