ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ ଓଡ଼ିଶା, ସ୍ବତନ୍ତ୍ର ଗାଇଡଲାଇନ ଜାରି

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶାକୁ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ଭାବେ ଗଠନ କରିବାକୁ ଲକ୍ଷ୍ୟ । ୨୦୩୦ ସୁଦ୍ଧା ବାଲ୍ୟ ବିବାହ ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ । ପ୍ରତି ଗାଁ ଓ ସହରାଞ୍ଚଳରେ ପ୍ରତି ୱାର୍ଡ଼କୁ ଏକ ୟୁନିଟ ଭାବେ ଗ୍ରହଣ କରି ଅଭିଯାନକୁ କରାଯିବ ତ୍ବରାନ୍ବିତ । ଜନ ସଚେତନତା ସୃଷ୍ଟି ସହିତ ଆଇନକୁ କଡାକଡି କରିବା ଉପରେ ଗୁରୁତ୍ବ ।

ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି ହୋଇଥିଲେ ହେଁ ଏ କ୍ଷେତ୍ରରେ ରାଜ୍ୟରେ ସ୍ଥିତି ସଙ୍ଗୀନ । ୧୨ରୁ ୧୩ଟି ଜିଲ୍ଲାର ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି ରାଜ୍ୟର ଚିତ୍ର । ପଶ୍ଚିମାଞ୍ଚଳ ଜିଲ୍ଲାର ସ୍ଥିତି ଚିନ୍ତାଜନକ । ପୂର୍ବ ଅପେକ୍ଷା ତୁଳନାତ୍ମକ ଭାବେ ସ୍ଥିତିରେ କିଛିଟା ସୁଧାର ହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳ ସହିତ ସହରାଞ୍ଚଳରେ ମଧ୍ୟ ଶିକ୍ଷିତ ଓ ସଚେତନ ବ୍ୟକ୍ତିଙ୍କ ସମ୍ପୃକ୍ତିରେ ଏଭଳି ଘଟଣା ଘଟୁଥିବା ନଜରକୁ ଆସିଛି । ଲୋକେ ଏହାକୁ ପରମ୍ପରା ଭାବେ ଅତି ହାଲୁକା ଭାବେ ଗ୍ରହଣ କରିନେଉଛନ୍ତି । ମାନସିକତାରେ ପରିବର୍ତ୍ତନ ସହିତ ନିୟମକୁ କଡାକଡି ଲାଗୁ ନକଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରିଛନ୍ତି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ।

ତେବେ ୨୦୩୦ ସୁଦ୍ଧା ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ଭାବେ ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ସ୍ବତନ୍ତ୍ର ମାର୍ଗଦର୍ଶିକା । ପ୍ରତି ଗାଁ ଓ ସହରାଞ୍ଚଳରେ ପ୍ରତି ୱାର୍ଡ଼କୁ ଗୋଟିଏ ଗୋଟିଏ ୟୁନିଟ ଭାବେ ନେଇ ଅଭିଯାନକୁ ତ୍ବରାନ୍ବିତ କରିବାକୁ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ଗାଁ ଓ ୱାର୍ଡ଼ ସ୍ତରରୁ ବାଲ୍ୟ ବିବାହକୁ ରୋକିବା ଜରୁରୀ । ଏହା ହେଲେ ୨୦୩୦ ସୁଦ୍ଧା ଲକ୍ଷ୍ୟ ପୂରଣ ହୋଇପାରିବ । ଅଭିଯାନକୁ ଅଧିକ କ୍ରୀୟାଶୀଳ କରିବାକୁ ଯାଇ ଆଗକୁ ଆସୁଥିବା ବ୍ୟକ୍ତି ତଥା ସଙ୍ଗଠନକୁ ଆର୍ଥିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ମଧ୍ୟ କରାଯାଇଛି ।